STORYMIRROR

Banabihari Mishra

Others

3  

Banabihari Mishra

Others

ଗଣିକା

ଗଣିକା

1 min
247

ଯେତେବେଳେ ସଞ୍ଜ ନଇଁ ଆସେ

କଳା କଳା ଅନ୍ଧାର ଗୁଡାକ

କବାଟ ଓ ଝରକାର ଫାଙ୍କ ଦେଇ 

ଧସେଇ ପଶନ୍ତି ଘର ଭିତରକୁ

ଆଉ ଠିକ୍ ସେତିକିବେଳେ

ମୁଁ ଜାଳିଦିଏ ଛୋଟିଆ ଦୀପଟିଏ

ସଜେଇ ନିଏ ନିଜକୁ 

ମଥାରେ ବିନ୍ଦି, ମୁଣ୍ଡରେ ଗଜରା

ଚାହିଁ ବସେ ତୁମ ଆଗମନକୁ

ସବୁକିଛି ସେଇ ସଧବାଟି ପରି

ଖାଲି ଫରକ୍ ଏତିକି

ମୋ ପାଦ ବନ୍ଧା ଥାଏ ଘୁଙ୍ଗୁରର ଶିକୁଳିରେ

ଯାହା ନଥାଏ ସେ ସଧବାଟିର ପାଦରେ

ସେଠି ଥାଏ ପାଉଁଜିର ରୁଣୁଝୁଣୁ ଶବ୍ଦ

ସେଥିରେ ମୋ ପାଇଁ କିଛି ଫରକ ନଥାଏ


ତୁମେ ଆସ, ସମାଜକୁ ଲୁଚିଛପି

ତୁମରି ଆଗରେ ମୋର ଛମ୍ ଛମ୍ ନୂପୁର କିଣ୍ବନ

ଖେଳିଯାଏ, ମତୁଆଲା ହେଇଯାଅ ତୁମେ

ଛୁଟେ ମଦିରାର ଅବାରିତ ସୁଅ

ଓଃ, କି ଅଶ୍ଳୀଳ ଇଙ୍ଗିତ

ସବୁକିଛି ସହିଯାଏ, ମୁଁ ବାଧ୍ୟ, ମୁଁ ନାଚାର

ସବୁଦିନ ପରି ଅନ୍ଧକାର ଗଭୀର ହୁଏ

ଆଉ ତାପରେ ....

ଖୋଲିଯାଏ ମୋର ସବୁ ଆଭରଣ

ଖିନଭିନ ହେଇଯାଏ ମୋର ସବୁ ସ୍ବପ୍ନ

ମୋ ଶରୀର, ମୋ ଆତ୍ମା, ମୋ ମନ

ଓଃ, ଅସହ୍ୟ ସେ ଯନ୍ତ୍ରଣା।


ତଥାପି ମୁଁ ଦୀପ ଜାଳିରଖେ

ଭାଙ୍ଗି ଯାଇଥିବା ସ୍ବପ୍ନକୁ ସାଉଁଟି ନିଏ

ପୁଣି ସଜାଡେ, 

କେବଳ ଆଉଥରେ ତୁମେ ଭାଙ୍ଗିବା ପାଇଁ

ପୁଣିଥରେ ମୁଁ ଆଶା ବାନ୍ଧେ

କେବେ ଯଦି ମୁଁ ପାରୋ ହେଇଯିବି

ଆଉ ତୁମେ ଦେବଦାସ

ଅମର ହେଇଯିବ ଆମର ପ୍ରେମ।


କିନ୍ତୁ ନା, ପୁଣି ଦୀପ ଲିଭିଯାଏ

ସବୁ ଆଶା ମରିଯାଏ

ଧୂଳିସାତ୍ ହେଇଯାଏ ସବୁ ସ୍ବପ୍ନ

ପୁଣି ମୁଁ ସଜାଡି ବସେ

ମୋ ନିଜର କୋକେଇ

ଜଳେଇବାକୁ ମୋ ଜୁଇ

ତୁମରି ମିଛ ପ୍ରେମ ଆଉ ଅପବିତ୍ର

କାମନାର ଲେଲିହାନ ଶିଖାରେ


ତୁମେ ପରା ପୂଜାକର

ମୋ ଦୁଆର ମାଟିଗଢା ମୂର୍ତ୍ତି

ମୁଁ କୁଆଡେ ସଦୈବ ସଧବା

ପୂଣ୍ୟମୟୀ, ପବିତ୍ର

ଖାଲି କ'ଣ ପୋଥି ଭିତରେ?

ସ୍ପଷ୍ଟ ଦିବାଲୋକରେ ମୁଁ ଘୃଣ୍ୟା, ଅପବିତ୍ରା

କେମିତି ଏ ପରମ୍ପରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍