STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଘରଣୀ ମୋ ଗୁଣମଣି

ଘରଣୀ ମୋ ଗୁଣମଣି

1 min
117

ପ୍ରେମ ପାଠ ଘର ଶୂନ ହୋଇବାରୁ ବାପା ମାଆଙ୍କ ପସନ୍ଦ

ସାଦରେ ଗ୍ରହଣ କଲି ଯେଣୁ କିଛି ନ ଥିଲା ମୋ ନନ୍ଦଫନ୍ଦ। 

ହୋମ ଅଗ୍ନି ସାକ୍ଷୀ ରଖି ମୁଁ ବେଦିରେ ଧରିଲି ପତ୍ନୀର ହାତ

ଈଶ୍ବରଙ୍କ ଠାରେ ଅଖଣ୍ଡ ବିଶ୍ୱାସ କରିବାର ନୁହେଁ ହତ। 

ପ୍ରଥମ ଦେଖାରେ ପ୍ରେମ ହୋଇଗଲା ସୌନ୍ଦର୍ଯ୍ୟ ବିଚାର୍ଯ୍ୟ ନୁହେଁ 

ନର ରାକ୍ଷସର ଅସମଂଜ ଯୋଡି ନଧରିବା କଥା ମୁହେଁ। 

ସ୍ଥିର ଚିତ୍ତ ହେଲେ ଧୈର୍ୟ୍ଯ ବାନ୍ଧି ଥିଲେ କି ଅସମ୍ଭବ ମହୀରେ

ଜଣେ ଅପରକୁ ଅନ୍ତର ଦେଇ ଗ୍ରହଣ ଯଦିବା କରେ !

ଜଣେ ରାଗିଥିଲେ ଆରେକ ମନାଏ ଏହି ମନ୍ତ୍ର ନେଲୁ ଦୀକ୍ଷା

ମତାନ୍ତର ହେଉ ମନାନ୍ତର ନୁହେଁ ଏଇତ ମହତ ଶିକ୍ଷା। 

ଯେତିକି କମାଣି ସେଥିରେ ସନ୍ତୁଷ୍ଟ ସରଗରେ ଚାନ୍ଦ ଥାଉ

ଧୂଳି ମାଟିର ଏ ଧରାର ମଣିଷ ମରିଚୀକାରେ ନଧାଉଁ । 

ସୁଖ ହେଉ ଦୁଃଖ ଘରଣୀ ମୋ ତାକୁ ଗ୍ରହଣ କରନ୍ତି ହସି

ପାରିଜାତ ଫୁଲ ଦାବିକରି ପାଦତଳୁ ମାଟି ନ ଯାଉଟି ଖସି ।

ଶାଢୀ ଗହଣାର ଆବଜାର ନଥାଏ ଯେତିକି ଅଛି ସନ୍ତୁଷ୍ଟ 

ମନ କିଣିବାର ମଧୁମୟ କଳା ଭୁଲିଯାଏ ଦୁଃଖ କଷ୍ଟ। 

ମାଆ ଭଉଣୀ ବାନ୍ଧବୀ ପ୍ରାଣପ୍ରିୟା ସବୁ ଦାୟିତ୍ୱ ଆବୋରି

ସେବା ସହଯୋଗ ସୌହାର୍ଦ୍ଦ୍ୟ ଯୋଗାଇ ଚିତ୍ତକୁ କଲା ମୋ ଚୋରୀ ।

ଦିଅର ନଣନ୍ଦ ଶାଶୁ ଶ୍ବଶୁରଂକ ବନ୍ଧୁ ବାନ୍ଧବ କର୍ତ୍ତବ୍ୟ

ଆପଣାର ପଣ ନାହିଁ ଇର୍ଷା ଦ୍ୱେଷ ନହୁଏ କଦା ଧର୍ତ୍ତବ୍ୟ ।

ଦୁଇଟି ସନ୍ତାନ ଉପହାର ଦେଲା କନ୍ୟା ରତ୍ନ ପୁତ୍ର ମଣି

ସଦାଚାର ଶିକ୍ଷା ଉଚ୍ଚାରଣ ସହ ଆଚରଣ ପରିମାଣି। 

ଆଦର୍ଶ ଗୋଟିଏ ଛୋଟ ପରିବାର ନୀଡଟିଏ ଦେଲୁ ବାନ୍ଧି

ନିରନ୍ତର ସ୍ନେହ 'ବୈକୁଣ୍ଠ' ନାମରେ ଘର ଆମ ହେଲା ବିନ୍ଧି। 

ଅଝଟ ପୁଅକୁ କୋଳରେ ବସାଇ ପାଠକୁ ସରଳ କରି

ଅମୃତ ବାଣ୍ଟଇ ପରିବାର ନିଜେ ଗରଳ ଗଳାରେ ଭରି ।

ଏତେ ସଦଗୁଣ ଅଧିକାରୀ ଯଦି ଛୋଟ ମୋଟ ଦୋଷ ତୃଟି

ଧରି କାହିଁପାଇଁ ସୁଖର ସଂସାର କରନ୍ତି ବା ମୁହିଁ ମାଟି !

ତିରିଶି ବରଷ ଅତିକ୍ରମ କରି ବୈବାହିକ ଜୀବନର

ସକଳ ଶ୍ରେୟ ମୋ ଗୁଣମଣି ପତ୍ନୀ ଋଣ ନୁହେଁ ସୁଝିବାର। 

     


Rate this content
Log in