!! ଘର !!
!! ଘର !!
ମଥା ଉପରେ ବୋଉର ପଣତ ପରି ଘର
କେବେ ପବନରେ ଉଡି ଗଲେ ବି
ମୁଁ ଜାବୁଡି ଧରେ ତା କାନି
ମୋ ବୋଉର ଅଧାଗଢା ଜୀବନ ପରି ମୋ ଘର
ତଥାପି ନିଜର
ଅତି ଆପଣାର !
କେବେଠୁ ଭାବି ଥିଲିି ସୁନ୍ଦର ଘର ର ନକ୍ସା
ଏକାନ୍ତ ଭାବେ ମୋ ଆପଣାର ଘର
ଘର ଆଗରେ ଲୁହାର ଫାଟକ
ଝୁଲୁ ଥିବ ନାମ ଫଳକ
ଅନ୍ୟ ପଟେ କୁକୁର ପ୍ରତି ସାବଧାନ ର
ସତର୍କତାମୂଳକ ସୂଚନା ।
ଲନ୍ ଟିଏ ଥିବ
ବେତ ଚେୟାର ଉପରେ ବସି
ନୀଳ ଆକାଶକୁ ଚାହୁଁଥିବି
କାହାର ତାଗିଦ୍ ରେ ଉଠି ଯାଉଥିବି
ଜ୍ୟୋତ୍ସ୍ନା ରାତିର କାକର ଭିଜାକୁ ପଛରେ ଛାଡି ।
ସେମିତି କିଛି ହେଲାନି
ଆମ ଘରେ ସାରାଜୀବନ ବନ୍ଧା ପଡିଗଲା !
ମୋ ଘର ବୋଲି ଯେଉଁ ସ୍ବତନ୍ତ୍ରତାର ବଡିମା
ହୃଦୟରେ ଗଜରୁ ଥିଲା -
ସେ ମନ ର କେଉଁ ନିଭୃତ କୋଣରେ କେବେଠୁ
ହଜି ଗଲାଣି ।
ଏବେ ଆମ ଘର ହିଁ ମୋ ଘର....
ମୋ ଘରେ ମୋ ବୁଢୀ ମାଆ
ଏବେ ବି ଘରର ମୂରବୀ
ସମସ୍ତେ ତା ଅନୁଶାସନରେ ଶାସିତ
ସେଇଠି ଗୋଟେ ଏକାନ୍ନବର୍ତ୍ତୀ ପରିବାରର ବୋଝ
ମୋ କାନ୍ଧରେ ସବାର୍ ,
ଘରର ଯାବତୀୟ ହାନିଲାଭର ହିସାବ ଫର୍ଦ୍ଦ
ମୋ ବୋଉ ଖୋଲି ବସେ
ଯେବେ ପ୍ରବାସରୁ ମୁଁ ଘରକୁ ଆସେ ।
ପୁତୁରା ଝିଆରୀ ସାନ ବୋହୁ ମାନଙ୍କ
ମଥାନତ ପ୍ରଣିପାତରେ ମୋ ଛାତି ପୁରିଉଠେ ,
ବୋଝ ବୋହିବାର କଷ୍ଟ କୁ
ମୁଁ ପାଶୋରି ପକାଏ
ମୋ ଘର ଭରି ଯାଏ ଆନନ୍ଦରେ ଯେମିତି
ମୁଁ ପାଦ ଥୋଇଲେ ଅଗଣାରେ !
ଘରଟିଏ କେବେ ନହକା ଡାଳରେ
କେବେ ଉଚ୍ଚ ତାଳ ଗଛରେ
ଘରଟିଏ କେବେ ଝାଟିମାଟି ନଡା ଛପରରେ
ହୋଇ ପାରେ ଜରିପାଲ ଟଣା
ଯାଯାବର ଜୀବନରେ ।
ଘର ସୁରକ୍ଷା ଦିଏ ଜୀବନ କୁ
ଶୀତ ବର୍ଷା ରୌଦ୍ର ତାପରୁ
କେବେ ଘର ପାଲଟି ଯାଏ ହାର୍ମ୍ୟ
ଶୀତ ତାପ ନିୟନ୍ତ୍ରୀତ ବିଳାସ କୋଠରୀ ।
କିନ୍ତୁ ଘର ତେବେ ଘର ପରି ଲାଗେ
ଯେବେ ସବୁ ପ୍ରିୟ ଜନ ଙ୍କ ଶ୍ରଦ୍ଧାର ଝୋଟି
ଅଙ୍କିତ ହେଉଥାଏ ମନର ମାଟି କାନ୍ଥରେ !!
