ଘର , ମାଟି ଓ ପଥର
ଘର , ମାଟି ଓ ପଥର
ଘର , ମାଟି ଓ ପଥର
ଜନ୍ମ ହେବା ପରେ ଗୁରୁଣ୍ଡି ମୁଁ ଘରେ
ମାଟିକୁ ଚିହ୍ନିଲି ଯାଇ
ମୁଠେଇ ବାଗରେ କେଡ଼େ ସରାଗରେ
ଗୋପନରେ ଦେଲି ଖାଇ ।
ମୁଠା ମୁଠା କରି ଏହି ମୁହେଁ ଭରି
ମୋହବଶେ ହୋଇ ସକ୍ତ
ଧାଉଁ ଧାଉଁ ଥରେ ମାଟିରେ ପଥରେ
ଝୁଣ୍ଟି ଢାଳିଦେଲି ରକ୍ତ ।
ଚାଲିବା ପଥର ଯେତେକ ପଥର
ଉଠାଇଛି କାହା ମଥା
ମାଟିଠୁ ଦୂରେଇ ଚିତ୍ତରେ ପୂରେଇ
ଭାବୁଅଛି ସେହି କଥା ।
ଲୋକଙ୍କୁ ଖଟାଇ ପଥର ଫଟାଇ
ହୋଇଥିବ ଦିନେ ବୁହା
ଆଘାତ ସହି ତ ହୃଦୟ ସହିତ
ଫାଟିଥିବ ମଧ୍ୟ ଲୁହା ।
ବାଟେ ନଈନାଳ କେତେ ବିଲମାଳ
ଗଲାବେଳେ ହୋଇ ପାରି
ପାଦେ ଦେଇ ତାଳ ନିଗାଡିଲେ ଝାଳ
ବୋଝ ଥାଉଁ ଏତେ ଭାରୀ ।
ଥୟ ଧରି ବସି ଆକାଶ ଏ ଖସି
ପଡ଼ିଲେ ବି ବେଳ କାହିଁ
ପଥର ତ ଲଦା କିଏ ଆଉ ସଦା
ପାରନ୍ତା ଉପରେ ଚାହିଁ ।
ଏ ଘର ଭିତରେ ଆମରି ହିତରେ
ଯେତେକ ପଥର ଖଞ୍ଜା
ଦେଖିଥିବେ ସାଥେ ପୂର୍ବଜଙ୍କ ମାଥେ
ଲହୁଲୁହ ଝଡ଼ଝଞ୍ଜା ।
ଏତେସବୁ ଭାର ଟେକି ବାର ବାର
ପିଠି ହୋଇଥିବ କୁଜା
ପଥରରୁ ଫାଳେ ସଜା ହୋଇ କାଳେ
ଘରେ ପାଉଛନ୍ତି ପୂଜା ।
ପ୍ରସନ୍ନ କୁମାର ମାଦଳା
