ଗହନ କାନନେ ଭ୍ରମଇ ଭଅଁର
ଗହନ କାନନେ ଭ୍ରମଇ ଭଅଁର
ସମୟ ନଈରେ ବହଇ ଜୀବନ ନୀର
ପାହାଡ଼ ଜଙ୍ଗମ ଘଞ୍ଚ ତରୁଲତା ପଥେ
ଦୁଃଖ ସୁଖ ସମ ଅନୁଭବ ନେଇ
ତନୁମନ ଲଦି ମୋହ ମାୟାର ରଥେ ।
ଅଳିକ ସଂସାରେ ଆସକ୍ତ ପରାଣ
କାନ୍ତା ପୁତ୍ର କନ୍ୟା ପିତାମାତା ସଙ୍ଗେ
କର୍ତ୍ତବ୍ୟ କର୍ମରେ ପରିବାର ଭାର ସହି
ମାୟାର କବଳେ ନାଚୁଥାଏ ନାନା ରଙ୍ଗେ ।
ବୟସ ଢଳିଲେ ସ୍ବଜନ ତାଡ଼ନେ
ମଣୁ ପରିତ୍ୟକ୍ତ ପରିବାର ମଧ୍ୟେ ଥାଇ
ଜୀବନଟା ତୋର ସଂସାର ଦାଣ୍ଡରେ
ତାଙ୍କ ନାମେ ଲେଖି ହୋଇଥିଲୁ କିଆଁ ବାଇ ?
ଦୁର୍ଲ୍ଲଭ ଜୀବନ ଅମୃତ ସନ୍ତାନ
ହେଜି ନପାରିଲୁ ଦିନେ
କ୍ଷଣିକ ଉଲ୍ଲାସେ ଯଉବନ ରସେ
ବ୍ୟର୍ଥ ଗଲା ଭାବୁ ମନେ ।
କରିଥାନ୍ତୁ ଯଦି ଈଶ୍ବରେ ପ୍ରୀତି
ରହି ସଂସାରେ ପଦ୍ମ ପତ୍ରେ ଜଳ ପରି
ମଉଳି ନଥାନ୍ତା ମୁମୁକ୍ଷୁର ଭାଷା
ଲଭିଥାନ୍ତୁ ମୁକ୍ତି ସଂସାରଚକ୍ରରୁ ତରି ।
ନିତ୍ୟ ସତ୍ୟ ସେହି ଜ୍ୟୋତିର ସନ୍ଧାନେ
ଏବେ ସମୟ ଯାଉଛି ସରି
ଭାଙ୍ଗିଦେଇ ମୋହ ଅବଶ ଶରୀରେ
ମନ, କେତେ ଦୂର ଯିବ ଚରି !
