STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

ଘାସଫୁଲ

ଘାସଫୁଲ

1 min
9.3K


ଘାସଫୁଲ


ଉଜାଣି ନଈର ଉତ୍କଣ୍ଠା ନେଇ ଫୁଲି ଉଠିଲି ମୁଁ

ଚାରିପଟେ ପ୍ରଶସ୍ତ ଧରା, ଉର୍ଦ୍ଧ୍ୱରେ ବିଶାଳ ଆକାଶ

ବିସ୍ମୟରେ ଚାହିଁ ରହିଛନ୍ତି ନଭଶ୍ଚୁମ୍ଭୀ ତରୁ

ବୁଝି ହେଉନାହିଁ

ମୋ ଉପସ୍ଥିତି ତାଙ୍କୁ ଅସହ୍ୟ ବୋଧ ହେଉଛି

ଅବା ମୋତେ ଦେଖି ଦୋହୋଲୁଛନ୍ତି ସହାନୁଭୁତିରେ

ଟିକିଏ, ଆଉ ଟିକିଏ ଉର୍ଦ୍ଧ୍ୱକୁ ଟେକିଲି ମଥା ସଜୋରେ

ପ୍ରତିସ୍ପର୍ଦ୍ଧା କରିବାର ବେଳ ଇଏ

କ୍ଷୀଣ ଶରୀରରେ ବି ଅୟୁତ ପ୍ରମାଣ ସାହସ

ଚପାଇ ଦେବାକୁ ମୋ ଚାରିକଡ଼ର ଉପହାସ

ଏଇତ! ପବନ ବି ଖେଳି ଚାଲିଛି ମୋ ସହ ଦୁଷ୍ଟାମୀର ଖେଳ

ଝାଡ଼ିଝୁଡ଼ି ହେଲି ଆଉ ଟିକିଏ,

ଖସିଗଲା ଶିଶିରରୁ କିଛି ବୁନ୍ଦା ମୋ ଅଙ୍ଗ ଅବୟବରୁ

ଫୁଲି ଉଠିଲି ଆଉ ଟିକିଏ, ଭରି ଉଠିଲି ସତେଜତାରେ

ଆଃ! କି ମହକଭରା ଧରା ଆଉ ତାର ପ୍ରଶସ୍ତ ଛାତି!

ସଭିଙ୍କୁ ଆବୋରି ଧରିଛି ଖୁସି ମନରେ

ମା’ ଟିଏ ତାର କୁନି କୁନି ଶାବକଙ୍କୁ

ଛାତିରେ ଜାବୁଡ଼ି ଧରିବା ପରି ଅଭୟ ଆଶ୍ରାରେ

ନିକଟରୁ ନିକଟତର ହେଉଛି ଧପ୍ ଧାପ୍ ଶବ୍ଦ

ଉଃ! ଭାରି ଅସହ୍ୟ!

କିଏ ସେ ଉନ୍ମତ୍ତ, ଉତ୍ସୃଙ୍ଖଳ ଜୀବ?

ଏତେ ବ୍ୟସ୍ତତା କାହା ପାଇଁ?

ଏତେ ବିବ୍ରତ ସେ କାହା ପାଇଁ?

ଫେରି ଚାହିଁଲି ପଛକୁ

ଦର୍ପିତ ଭଙ୍ଗୀରେ ଆଗେଇ ଆସୁଛି ପଥିକଟିଏ

ସତେ ଅବା ଏଇକ୍ଷଣି ପରିବର୍ତ୍ତିତ କରିବ ଧରାକୁ ସ୍ଵର୍ଗରେ

ନିଜର ଦର୍ପ, ଅହଂ ଯେଉଁ ବୈଷୟିକ କୌଶଳକୁ ନେଇ

ତାରି ସାହାଯ୍ୟରେ

ଅନ୍ୟ ଜୀବଙ୍କର କିଛି ବି ମହତ୍ୱ ନାହିଁ ତା ପାଇଁ

ଯେ ବଞ୍ଚେ ନିଜ ପାଇଁ

କେବଳ ନିଜ ପାଇଁ

ଆଃ... କ୍ଷଣିକ ମୁହୁର୍ତ୍ତର ଜୀବନ

ଏତେ ଅଭିମାନ, ଆତ୍ମବଡ଼ିମା!


ଟି. ଦୁର୍ଗା ପ୍ରସାଦ ରାଓ


Rate this content
Log in