ଗାଈ
ଗାଈ
ଆମେ ମାଆ ପିଲା ଦୁହେଁ ବୁଲୁଥିଲୁ
ଏଇ ପଡିଆରେ ଦିନେ
ଆସି ପହଂଚିଲା ଏକ ବଡ ଗାଡି
ତା ସହିତ ବାବୁମାନେ
ଗୋଡ଼ାଇଲେ ସିଏ ଆମ ପଛେ ପଛେ
ଖାଇବାକୁ ଦେଲେ ଘାସ
ଘାସର ଲୋଭରେ ପଡ଼ିଗଲୁ ଯେବେ
ବେକରେ ବାନ୍ଧିଲେ ଫାସ
ଫାସ ବାନ୍ଧି ସିଏ ଭିଡି ଭିଡି ନେଲେ
ବସାଇଲେ ଗାଡ଼ିପରେ
ପିଲାଟି ମୋହର କାନ୍ଦୁଥିଲା କେତେ
କଷ୍ଟ ପାଇ ବିକଳରେ
ଡାକିଲି ପ୍ରଭୁଙ୍କୁ ବିକଳରେ ମୁହିଁ
ରଖ ରଖ ବୋଲି ମୋତେ
ସିଏ ଦୁଃଖହାରି ସୁଖର କାରଣ
ଉଦ୍ଧାର କରିବେ ସତେ
ନ ଶୁଭିଲା ତାଙ୍କୁ ଆମର କ୍ରନ୍ଦନ
ନ ଶୁଭିଲା ହମା ରଡି
ହେ କଳା ଠାକୁର ରଖ ରଖ ବୋଲି
କଲି ମୁଁ କେତେ ଗୁହାରି
ଭାବିଥିଲି ପ୍ରଭୁ ଗୋପାଳକ ତୁମେ
ରକ୍ଷା କରିବ ଆମକୁ
ହେଲେ ନ ଆସିଲ ଗୋପାଳ ନନ୍ଦନ
ରଖିବାକୁ ଜୀବନକୁ
ତୁମେ ଯଦି ମୋର କୃଷ୍ଣ ହୋଇଥାନ୍ତ
ହୋଇଥାନ୍ତ ନନ୍ଦବାଳ
ରଖିଥାନ୍ତ ଆସି ମୋତେ ମୋ ଛୁଆକୁ
ରକ୍ଷାକାରୀ କାଳ କାଳ
କାହିଁକି ହେ ପ୍ରଭୁ ତୁମେ ଶୋଇଅଛ
ଛପନ ପଉଟି ଖାଇ
ତୁମ ଗାଈଗୋଠ ଆଜି ଖଣ୍ଡାଧାରେ
ଯାଉଛନ୍ତି ସବୁ ଶୋଇ
ରଖ ହେ ପ୍ରଭୁ ଆସ ତୁମେ ଉଠି
ତୁମ ବଡ ସିଂହାସନୁ
ନ ହେଲେ ହଜିବ ଲିଭିଯିବ ତୁମ
ଗାଈଗୋଠ ଏ ଭୁବନୁ
