ଏକଚିଠି
ଏକଚିଠି


ଅନ୍ତର ବେଦନା ମନର ଦୁଃଖ ଯା'
ଲେଖୁଛି ଆଜି ମୁଁ' ଏକ ଚିଠିରେ ,
ମୋର ସବୁତକ ସବୁଜ ସ୍ୱପ୍ନକୁ
ପୋତିଦେଲି ଉଇ ହୁଙ୍କା ଭିତରେ ।
ଲିଭେଇ ଦେଇଛି ସବୁ ଦିନ ପାଇଁ
ଛାତି ତଳ ଦୁଃଖ ଝୋଟି ଚିତାକୁ
ପୂର୍ଣ୍ଣତାରେ ପୂର୍ଣ୍ଣ ଅପୂର୍ଣ୍ଣ ମୁହୂର୍ତ୍ତ
ଆତ୍ମୀୟତା ଭରା ପ୍ରତାରଣାକୁ।
ଭସେଇ ଦେଇଛି ସମସ୍ତ ଆବେଗ
ନିମ୍ନଗାମୀ ସ୍ରୋତ ଗଙ୍ଗା ସାଗରେ ,
ବାଲିଘର ଭାଙ୍ଗି ଅତଡ଼ା ଖସୁଛି
ପ୍ରଗଳ୍ଭା ଉର୍ମିର ନୀଳ ଢେଉରେ ।
ଅସମ୍ଭବ ବର୍ଷା ବେଳାଭୂମି ତଟେ
ଶବ୍ଦ ହୀନ ଲାଗେ ପାଉଁଜି ସ୍ୱର ,
ସେ ବେଳାଭୂମିରେ ହଜେଇ ଦେଇଛି
ବିତା ବସନ୍ତର ବେସୁରା ସୁର।
ବୈଶାଖ ଝାଞ୍ଜିରେ ଉଡ଼ି ଯାଇଥିଲା
ପୁରୁଣା ସ୍ମୃତିର ଫଳକ କିଛି ,
ପ୍ରଳୟ ବନ୍ୟାର ଜଳ ଭଉଁରୀରେ
ଭସେଇ ଦେଲି ମୁଁ' ଆଜିର ଚିଠି ।