STORYMIRROR

Rasmita Dixit

Others

3  

Rasmita Dixit

Others

ଏକାକିନୀ

ଏକାକିନୀ

1 min
236


ଯେତେ ଅନ୍ଧକାର ଥାଉ

ଦୀପ ଜାଳିବାରେ କଣ ମନା ଅଛି?


ସନ୍ଧ୍ୟା ଗଡ଼ିଗଲେ 

ନୀଶିଥୀନିର ବୁକୁରେ

ମୁଁ ଶୁଣିଛି ଅସ୍ପଷ୍ଟ ପଦଶବ୍ଦ

ବ୍ୟଥାର ନିରବ ବିଳାପ

ଏକାକିନୀ ନାରୀଟିର

ଚଉହଦିରେ 

ସାଲିସ, ନାଲିସ 

ଆଉ ମିଥ୍ୟାର ବିକୃତ ବିଳାପ ।

ସୂର୍ଯ୍ୟର ସତ୍ୟକୁ 

ପ୍ରକାଶ ନ କରିବା ପାଇଁ

ଦର୍ପିତ ସ୍ୱରକୁ ଅବରୁଦ୍ଧ କରିବା ପାଇଁ 

ଯେତେ ପ୍ରୟାସ ହେଉ

ପ୍ରତିବାଦ ପାଇଁ କଣ ମନା ଅଛି?

ଯେତେ ଅନ୍ଧକାର ଥାଉ 

ଦୀପ ଜାଳିବାରେ କଣ ମନା ଅଛି?


ମୁଁ ଦେଖିଚି ଏକାକିନୀ 

ନାରୀର ଆଖିରେ

କୃଷ୍ଣଚୁଡାର ରୋଷଣୀ

ଅଳସି ଫୁଲର ଲହରୀ

ଥର ଥର କମ୍ପୁଥିବା

ଆବେଗର ମନ୍ଦ୍ର ସ୍ୱର

ମହମବତୀ ପରି 

ତରଳି ଯାଉଥିବା

ନିପାରିଲା ପଣ

ନିଜକୁ ସାଉଁଟି

ଧସ୍କି ପଡୁଥିବା ଭୂମିରେ

ଦୃଢ଼ଭାବେ ଠିଆ ହେବାର 

ଦୁର୍ବାର ପ୍ରଚେଷ୍ଟା ର

ମଗ୍ନ ବେଳାରେ ,

ପ୍ରତିଶ୍ରୁତି, ପ୍ରତ୍ୟାଖ୍ୟାନ ଓ

ପରୀକ୍ଷା ମଞ୍ଚରେ

ଯେତେଥର ତରଳା ଯାଉ 

ସୁନା ପରି ଝଟକିବାରେ କଣ ମନା ଅଛି?

ଯେତେ ଅନ୍ଧକାର ଥାଉ ଦୀପ 

ଜାଳିବାରେ କଣ ମନା ଅଛି?


ମୁଁ ଦେଖିଛି 

ଏକାକିନୀ ନାରଟିର ସ୍ଥିତି ର ସଂଘର୍ଷ 

ଦୀପାଳି ଓ ସଳିତା ପରି

ଲୁହ,ଲହୁ,ହସ କାନ୍ଦ ର 

ସୁନ୍ଦର ବିନ୍ୟାସ

ନିଜ ରଂଗରେ ରଙ୍ଗୀନ

ମୁଗ୍ଧା ପ୍ରଜାପତି

ବିଲୋଳ ହସର 

ଅନନ୍ୟ ଚିତ୍ରକଳା,

ଅନ୍ଧକାର ରୁ ଆଲୋକର 

ଅମୃତ ଯାତ୍ରା ଯାଏ

ସାଦରେ ସାଇତି ରଖେ

ସ୍ଥିତି ଓ ସଂସ୍ଥିତିର 

ହିମ ଶୀତଳ ଜ୍ୱାଳା।


ଯେତେଥର ପୋଛାଯାଉ

ସମୟର କାନଭାସରେ

ନିଜକୁ ଜାହିର କରିବାରେ 

କଣ ମନା ଅଛି?

ଯେତେ ଅନ୍ଧକାର ଥାଉ 

ଦୀପ ଜାଳିବାରେ କଣ ମନା ଅଛି ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍