ଏକା ଏକା
ଏକା ଏକା
ଏହି ଜୀବନଟା ଲାଗେ କେବେ ବାଲିଘର କେବେ ପର ,
ସବୁ ଖାଲି ମିଠା ମିଠା କଥାର ଅଟନ୍ତି ଯାଦୁଗର |
କହିବି କାହାକୁ ? ଶୁଣିବା ବା କିଏ ?ବୁଝିବାକୁ କେହି ନାହିଁ ,
ଏବେ ଏକା ଏକା ଡର ଲାଗେ ଅତୀତକୁ ଚାହିଁ |
ଦୁନିଆରେ ଏକା ଏକା ଆସିଥିଲି, ଯିବି ଏକା ଚାଲି ,
କାହିଁକି ମିଥ୍ୟା ମୋହ ମାୟାର ବନ୍ଧନରେ ବାନ୍ଧି ହେଲି ?
ଦିନେ ସବୁ ଥିଲେ ମୋର ନିଜର, ବଡ ଆପଣାର ,
ଏବେ ସବୁ ଛାଡି ଚାଲିଗଲେ, କରିଦେଇ ମୋତେ ପର |
ଭାବୁଛି, କାହିଁକି କେଜାଣି ଗଢ଼ିଲି ସ୍ୱପ୍ନର ସୁନା ଘର ,
ଆଶାରେ ଭରସା କଲି, ଧୋଇଦେଲା ତାକୁ ବିନ୍ଦୁ କୁହୁଡିର |
ପିତାମାତା ବନ୍ଧୁ ପରିଜନ ଥିଲେ, ଥିଲା ପ୍ରାଣର ପ୍ରିୟା,
କିଏ ଚାଲିଗଲା, କିଏ ଛାଡିଦେଲା, କେହି ନାହିଁ ସାହା |
ଭାଙ୍ଗି ଦେଇ ସେଇ ସୁନା ଘର, କଲା ଛାରଖାର,
ସୁନା ଚାଲିଗଲା, ସ୍ବପ୍ନ ଭାଙ୍ଗିଗଲା, ଭାଙ୍ଗି ଦେଲ ଘର |
ସୁନାକୁ ମୋହର ଚୋରି କରିନେଲା କେହି ଅଜଣା ମଣିଷ ,
ଜାଳି ଦେଇ ମନକୁ ମୋର, କରିଦେଲା ସିଏ ପାଉଁଶ |
ସ୍ବପ୍ନ ଯାହା ଦେଖିଥିଲି, ସବୁ ଭାଙ୍ଗି ହେଲା ଚୁରମାର ,
ଆପଣାର ହୋଇ ପର ହୋଇଗଲି, ଅଜଣା ହେଲା ନିଜର |
ଘର ଭାଙ୍ଗିଯାଇ ହେଲା ଏବେ ଦେଖ ,ଅଳିଆ ଗଦା ,
କାନ୍ଦି କାନ୍ଦି ଯେତେ ଲୁହ ଝରାଇଲେ ,ହେଉନି ଓଦା |
ଏକା ଏକା ଏବେ ଦିନତ ହୋଇଛି ମୋର ଅନ୍ଧାର ,
ସାହସ ପାଉନି ଆଖି ଖୋଲିବାକୁ, ଆଲୁଅକୁ ଲାଗେ ଡର |
ମୋର ସଙ୍ଗେ ଅଛି ,ଖାଲି ନିଃସଙ୍ଗତା ସାଥି ହୋଇ ,
ଦ୍ୱାରାଉଛି ମୋତେ କହି ଏବେ ,ଛାଡି ଚାଲିଯିବା ପାଇଁ |
ନିଃସଙ୍ଗ ଏଇ ଜୀବନର ନିଃସଙ୍ଗତା ଖାଲି ସାଥି ହୁଏ ,
ଏକା ଏକା ହୋଇ , ଖାଲି ଅତୀତଯେ ମନେ ପଡ଼ିଯାଏ |
ଭାବୁଛି କାହିଁକି ଭୁଲିଲି ଜୀବନର ସେହି ଅପ୍ରିୟ ସତ୍ୟକୁ ?
ବାଟବଣା ହୋଇ ନଦେଖିଲି ,ମିଥ୍ୟାର ଏହି ମାୟା ଜାଲକୁ |
ଏକା ଏକା ଏବେ ଅପେକ୍ଷାରେ ଅଛି ମୃତ୍ୟୁକୁ ଚାହିଁ ,
ସିଏବି ନିଷ୍ଠୁର ହୋଇଛି, ପାଶେ ବେଗି ଆସୁ ନାହିଁ |
