ଏଇତ ଜୀବନ
ଏଇତ ଜୀବନ
ଏ ଜୀବନ
ଏକ ସତରଞ୍ଜ ପରି
କେବେ ଯାଏ ଜିତି,
କେବେ କିଏ ଯାଏ ହାରି ।
ହେଲେ ଆନମନା
ଶତ୍ରୁ ଦିଏ ଛନ୍ଦି,
ରାଜା ହୁଏ ବନ୍ଦୀ
ସେନା ଯାଇଥାନ୍ତି ମରି।
ସ୍ୱାର୍ଥକୁ ଜାବୁଡି
ହାତୀ,ଘୋଡା ଚଢି
କରି ଯୁଦ୍ଧ ରଡି
ଆଜି ବହୁବଳୀ ପରି ।
ସାଜି ରାଜ୍ୟ ପ୍ରେମୀ
ପ୍ରଜାଙ୍କୁ ମତେଇ
କର୍ତ୍ତବ୍ୟ ଚେତେଇ
ବଜାନ୍ତି ଯୁଦ୍ଧର ତୁରୀ ।
ବିଜୟ କେତନ
ଗଡେ ପାଉ ଶୋଭା
ବଢୁ ରାଜ୍ୟ ଆଭା
ବୈଧବ୍ୟ ବରନ୍ତୁ ନାରୀ ।
କପଟୀ ନରେଶ
ମିଛ ପ୍ରଲୋଭନେ
ମଧୁର ବଚନେ
ସାନ୍ତ୍ୱନା ଦିଅନ୍ତି ଭାରି ।
ଅଦୃଶ୍ୟ ସେ ଲେଖା
ସେନା ତ୍ୟାଗ ଫଳେ
ନରେଶ କପାଳେ
କେବେ ବଢେ ରାଜ୍ୟ ଶିରୀ ।
ଟୁଛ ଅଭିମାନେ
ହୋଇ ଅହଙ୍କାରୀ
ପର ଦାରା ହରି
କେବେ ପୁଣି ହତଶିରି ।