ଏବେ ବି ତ ତାକୁ ଭଲପାଏ
ଏବେ ବି ତ ତାକୁ ଭଲପାଏ
ଗାଆଁ ନଈକୁ ମୁଁ ପିଲାଟି ଦିନରୁ ଭଲପାଏ
ପ୍ରତି ସଞ୍ଜବେଳେ ତା କୂଳରେ ଯାଇ ବୁଲୁଥାଏ
ତା ତନୁ ଛୁଆଁରେ ଅନିଳ ଶୀତଳ ମୋ ଅଙ୍ଗେ ପରଶ ଦେଇଯାଏ
ଶିହରି ଉଠଇ ମୋ ମନ ଅଧୀରେ ତେଣୁ ତାକୁ ମୁଁ ତ ଭଲପାଏ ।।
ପ୍ରତି ସକାଳରେ ତା ଗରଭେ ଆସି ସ୍ନାନ କରେ
ପରଶି ଦିଏ ସେ ତା ପବିତ୍ର ନୀର ମୋ ଶରୀରେ
ଧୌତ କରିଦିଏ ମୋ ଦେହର ଯେତେ ମଳି ମଳୁଖକୁ ତା’ର ଜଳେ
ମାଆ ଯେହ୍ନେ କରେ ତେମନ୍ତେ ତା କାମ ଦେଖି ମୁଁ ତ ତାକୁ ଭଲପାଏ ।।
ଜଳକେଳି କେତେ କରିଛି ତା କୋଳେ ତା’ର ଜଳେ
ପହଁରି ପହଁରି କେତେ ମୁଁ ଖେଳିଛି ପିଲାବେଳେ
କେବେବିତ ମୋତେ ମନା କରିନାହିଁ କହିନାହିଁ କେବେ ରୋଷ ଛଳେ
ଭୁଲିପାରି ନାହିଁ ମୋ ପ୍ରିୟ ନଈକୁ ଏବେ ବି ମୁଁ ତାକୁ ଭଲପାଏ ।।
ତା ଗରଭେ ପଶି ବେଳେ ବେଳେ ମୁଁ ତ ମାଛ ମାରେ
ତଥାପି ସେ ମୋତେ ମନା କରିନାହିଁ ବେଳେ କାଳେ
ସେ ମୋତେ ନିଜର କରିନେଇ ଅଛି ତା’ର ଅଫୁରନ୍ତ ସ୍ନେହ ଛଳେ
ଅଭୁଲା ସେ ମୋର ହୃଦୟରେ ଗାର ଟାଣି ଅଛି ତେଣୁ ଭଲପାଏ ।।
ତା ସହିତ ମୋର ୟେ ନିବିଡ଼ ସ୍ନେହ କାଳେ କାଳେ
ରହିଅଛି ରହିଥିବ ତା’ର ମୋହ ମୋ ଅନ୍ତରେ
ସେ ମୋର ଅତିତ ପ୍ରିୟ ସାଥି ଏକ ତା ସ୍ମୃତି ଏବେ ବି ମନେପଡେ
ଭଲ ପାଉଥିବି ଭଲ ପାଉଥିଲି ଏବେ ଵି ମୁଁ ତାକୁ ଭଲପାଏ ।।
ସମୟ ଚକ୍ରରେ ଆଜି ମୁଁ କାହିଁ କେତେ ଦୂରେ
ଏବେ ବି ସେ ଅଛି ସେମିତି ଝରୁଛି ଆନନ୍ଦରେ
ତା’ର ମୋହ ମାୟା ସ୍ନେହକୁ ମୁରୁଛି ପାରିନାହିଁ ମୋର ଅନ୍ତରରେ
ବସାବନ୍ଧି ଅଛି ଭୁଲି ହେଉନାହିଁ ଯେହେତୁ ମୁଁ ତାକୁ ଭଲପାଏ ।।