ଏବେ ବି ସେ ହସୁଛି
ଏବେ ବି ସେ ହସୁଛି
ସେଦିନ ବି ହସୁଥିଲା ଗାଁ
ଆଜିବି ହସୁଚି,
ସମୟ ଓ ବିବର୍ତ୍ତନ
ତାର କଣ୍ଠରୋଧ କରିପାରିନି
ଅନେକ ଯନ୍ତ୍ରଣାକୁ ଛାତିରେ ଚାପି
ତା'ର ପରମ୍ପରାକୁ ସେ ଜାବୁଡି ଧରିଛି ।
ସଂସ୍କୃତିର ଅବକ୍ଷୟ ସହ
ସେ କେବେବି ନିଜକୁ ସାଲିସ୍ କରିନି,
ସାହାସ ବି ହରେଇନି,
ଭାଙ୍ଗି ବି ପଡିନି ।
କେଉଁଠି ନିଃସଙ୍ଗତାର ଶୂନ୍ଯ ନିଡଟା
ବୁକୁ ଫଟେଇ କାନ୍ଦୁଛି,
କେଉଁଠି ପୁଣି କିଚିରି ମିଚିରି ଶବ୍ଦ
ତାକୁ ଆନମନା କରୁଛି ।
ସ୍ମୃତିକୁ ରୋମନ୍ଥନ କରି
ସେ ଦେଖୁଛି ତା'ର ଅତୀତର ଚିତ୍ର,
ଗାଁ'ର ଧୂଳି ଧୂସରିତ ରାସ୍ତାଟା
ଆଜି କଂକ୍ରିଟ୍ ହେଇଛି
ଧୂଳି ଆଉ ରାସ୍ତାରେ ଜମୁନି
ହେଲେ ହୃଦୟର ଧୂଳି ପୋଛିବାକୁ
ବିଜ୍ଞାନ ଆଜିବି ସମର୍ଥ ହେଇନି ।
ଗାଁ ରେ ଘରେ ଘରେ କବାଟ ଖୋଲାଥାଏ
ସକାଳରୁ ସନ୍ଧ୍ଯା ଯାଏ
ନଥିଲା ଭୟ, ଭ୍ରାନ୍ତି ଓ ଶୋଚନା,
ସ୍ନେହ ସଂପର୍କର ପବନଟା
ପ୍ରବେଶ କରୁଥିଲା ଅବାଧରେ,
ଆଜି କିନ୍ତୁ ସଂପର୍କର ଶୁଦ୍ଧ ପବନଟା
ଅଣନିଃଶ୍ୱାସୀ ତା'ର ରୁଦ୍ଧ ଦ୍ବାର ଭିତରେ ।
ସୌହାର୍ଦ୍ଦ୍ୟର ବନ୍ଧଟା ଭୂଷୁଡ଼ି ପଡିଛି
ସହରାଭୀମୁଖୀ ମାନସିକତାର ଦୂଷିତ ବାସ୍ନାରେ ।
ଆଜିବି ବୁଢୀମା ଗଢୁଛି ପୋଡପିଠା,
ମୋ ସଂସ୍କୃତିର ବାର୍ତ୍ତାବହ ରଜକୁ ପାଳୁଛି,
ଜେଜିମା ହାତର ଗୁଣ୍ଡିଭଜା ଖିଲିପାନ ଠାରୁ
ଦୋକାନର ଭଳି ଭଳି ମସଲାର ପାନ
ଅଧିକ ବାସୁଛି ।
ଆଜି ଗାଁ ପାଳୁଛି ଜନ୍ମଦିନ
ମନ୍ଦିର ବି ଯାଉଛି, ଦୀପ ବି ଜାଳୁଛି
ପରମ୍ପରା ଏକଦମ୍ ଅସ୍ତିତ୍ବ ହରେଇନି
କ୍ଷୀରି ପିଠା ବଦଳରେ
କେକ୍ ମହମବତୀର ଆସର ଜମୁଛି ।
ମଟିଘର କାଁଭାଁ ଅଛି
ପକ୍କାଘର ଆଶାତୀତ ବଢିଛି
ହେଲେ ଢେର୍ ଘର ସାମ୍ନାରେ ତାଲା ଓହଳିଛି ।
ସବୁ ପରିବର୍ତ୍ତନର ସ୍ବର ଭିତରେ ବି
ତା'ର ଯାନି ଯାତ୍ରା ମେଳା, ମଉଛବ ବିବାହ ଭୋଜି
ଯେମିତି ଥିଲା ସେମିତି ଅଛି
କିନ୍ତୁ ଅତିଥି ସତ୍କାର ନାଁରେ ଗାଁ'ର ଭୋଜିଟା
ମାଗିଖିଆ ସଂସ୍କୃତିକୁ ଟିକେ ଆବୋରିଛି।
କିଛି ହରେଇ, କିଛି ଆପଣେଇ
ଆଜିବି ଗାଁ ସଭିଙ୍କୁ ବୁକୁରେ ଚାପିଛି
ତା'ର ରିତିନୀତି, ସଂସ୍କୃତି, ପରମ୍ପରାକୁ ସାଥିରେ ଧରି
ଚାଲିବାର ପଣ ବି କରିଛି ।।
