ଏ କି ବୋଲାଏ ସ୍ଵାଧୀନତା
ଏ କି ବୋଲାଏ ସ୍ଵାଧୀନତା
ଯାହାର ବସନ୍ତ ଯାଉଛି ଗଡ଼ି
ବର୍ଷ ପରେ ବର୍ଷ ଫରଦ ଯୋଡ଼ି
ସତ୍ୟ ନିଜର ଖୋଜୁଛି ସତ୍ତା
ଏ କି ବୋଲାଏ ସ୍ଵାଧୀନତା ।
ପାଶ୍ଚାତ୍ୟ ଯେଉଁଠି ବଢ଼ାଇ କାୟା
ଛଡ଼ାଇ ନେଉଛି ମାଟି ମା'ର ମାୟା
ନିତି ଦିଗଭ୍ରଷ୍ଟ ନାଗରିକତା
ଏ କି ବୋଲାଏ ସ୍ଵାଧୀନତା ।
ଗାନ୍ଧୀ ଗୋପବନ୍ଧୁ ବରେଣ୍ୟ ଜନ
କରିସାରି ଲକ୍ଷେ ଆନ୍ଦୋଳନ
ସାଧିଥିଲେ ଯେଉଁ ସୁଖ ମୁକୁତା
ଏ କି ବୋଲାଏ ସ୍ଵାଧୀନତା ।
ଭ୍ରଷ୍ଟାଚାରେ ଆଜି ମାତିଛି ଜାତି
ପରାଜୟେ ସତ୍ୟ ଦିଏ ମଥାପାତି
ଦିବାଲୋକେ ନିଃସହାୟ ପ୍ରତିଟି ସୁତା
ଏ କି ବୋଲାଏ ସ୍ଵାଧୀନତା ।
ଘର ଢିଙ୍କି ଯେବେ ସାଜେ କୁମ୍ଭୀର
ଅମୂଲ୍ୟ ପାଲଟେ ତୁଠ ପଥର
ଚତୁର୍ଦ୍ଦିଗେ ମିଥ୍ୟା ହୀନମନ୍ୟତା
ଏ କି ବୋଲାଏ ସ୍ଵାଧୀନତା ।
ମାତୃଭାଷା ଯେବେ ହୁଏ ନିନ୍ଦିତ
ବାହୁଲ୍ୟରେ ଅର୍ଥନୀତି ଶକତ
କର୍ତ୍ତବ୍ୟବୋଧରେ ଖଚ ବିବିଧତା
ଏ କି ବୋଲାଏ ସ୍ଵାଧୀନତା ।
ଅହିଂସା ଯେଉଁଠି ଦରାଣ୍ଡେ ରାହା
ଜନତା ହଜାଏ ମାଟିର ମାୟା
ଶୁଷ୍କ ବାହାସ୍ଫୋଟ ଭର୍ତ୍ତି ବାରତା
ଏ କି ବୋଲାଏ ସ୍ଵାଧୀନତା ।
ପର ଦୁଃଖେ ଏଠି ପରାଣ ହସେ
ଆହୁରି ଦୁଃଖକୁ ଠେଲିବା ଆଶେ
ମଦ ମତ୍ତେ ଭାବେ ନିଜେ ନିର୍ମାତା
ଏ କି ବୋଲାଏ ସ୍ଵାଧୀନତା ।
ଯନ୍ତ୍ର ପରି ରବି ହୁଅନ୍ତି ଉଦେ
'ସ୍ଵାଧୀନତା' ଏଠି ଗଣି ପ୍ରମାଦେ
ଯଉତୁକେ ବଧୂ ହୁଏ ନିଷ୍ପେସିତା
ଏ କି ବୋଲାଏ ସ୍ଵାଧୀନତା ।