ଏ ଆଖି
ଏ ଆଖି
ବଡ଼ ବାତୁଣୀ ଛଇଳୀ,ଚତୁରୀ ଏ ଆଖି
କେବେ କଥା କହେ ଅନର୍ଗଳ
ଅଜାଡ଼ି ଦେଇ ବିଗତ ସ୍ମୃତି ସମସ୍ତ
ଭବିଷ୍ୟତ ର ସ୍ୱପ୍ନ ସବୁ କୁ
ରଙ୍ଗମୟ ଛନ୍ଦ ମୟ କରିବାର
ନହୁଲି ଆଶା ଜଗେଇ
ବାନ୍ଧି ନିଏ ନିରୋଳା ବର୍ତ୍ତମାନ କୁ,
ଏବଂ ମୋହି ନିଏ ମନ ନିରୀମାଖୀ
ବଡ଼ ବାତୁଣୀ ଛଇଳୀ ଚତୁରୀ ଏ ଆଖି।।
କେବେ ନିରବତା ଭିତରେ
କିଛି ନକହୁ ନକହୁ କହିଯାଏ ଯେତେ
ଅକୁହା କଥା ଅବୁଝା କାହାଣୀ
ଅବୋଧ ଶିଶୁ କୁ ନା..ନା ବାୟ ଗୀତ
ଅନୁଢ଼ା କିଶୋରୀ କୁ ମନ ମିତ ଅବା,
ବୁଝିବାର ଇଚ୍ଛା ଶୁନ୍ୟ ବେହୋଶି ଭିତରେ
ଜଗାଇ ଅଦମ୍ୟ ପିପାଷା ହଜି ଯିବାର
ଚୁରାଇ ନିଏ ନିଜ ଠୁଁ ନିଜକୁ।
ନିଝୁମ ଘନ ଅନ୍ଧାର ରାତିର
ନିସ୍ତବ୍ଧ ଏକାନ୍ତ କୋଣରୁ ହଠାତ
ଖସି ପଡୁଥିବା ଉଜ୍ବଳ ଏକ ତାରକା ର
ବିକିରିତ କେଉଁ ଜଜ୍ଜ୍ୱଲ୍ୟମାନ
ଆଲୋକ ର ମୋହ ସମ,
ଭରି ଦେଇ ଅନେକ ରୋମାଞ୍ଚ
ଛାତି ତଳେ , ହୃଦୟ ପାଖା-ପାଖି
ବଡ଼ ବାତୁଣୀ ଛଇଳୀ ଚତୁରୀ ଏ ଆଖି।।
ଲୁହ ସବୁ ପିଇ ଯିବା ପରେ ବି
କୋହ ସବୁ ଚାପି ଧରି ଥିବା
ହୃଦୟ ର ଅଶାନ୍ତ ମୁହୂର୍ତ୍ତ ମାନଙ୍କୁ
ମିଛିମିଛିକା ହସ ର ରସ କଲ୍ଵଳ
ସିଞ୍ଚି ସିଞ୍ଚି,ବଞ୍ଚି ଥିବା ଖୁସି ମାନଙ୍କୁ
ସଞ୍ଚି ସାଇତି ରଖିବାକୁ କହେ ଏ ଆଖି।
ଦିନ ର ଦୃଶ୍ୟମାନ ସମୟ କୁ ହସେଇ
ଭିଜାଏ ପୁଣି କେବେ ରାତିର ତକିଆ।
ହସ ଜାଣି ଯାଏ ଯେବେ ଅଭିନୟ
ହସ ସାଥେ ହସି ପୁଣି,ଦୋହରାଏ ହସ।
ହସ ସହ ହସିବାର ଧୃଷ୍ଟତାରେ
ଦକ୍ଷ ନିପୁଣ ଅତି ଏ ଅସହାୟ ଆଖି।
ସବୁ କିଛି ଖୋଲି ଗଲା ଉପରାନ୍ତେ
ଝାପ୍ସା ଖାପ୍ସା ଦେଖା ଯାଏ ଯେବେ
ପାପୁଲି ଘଷି ଘଷି ଲୁହ ନେସି ଦେଲାପରେ
ପୁଣି କହିବାର ଉଦ୍ୟମ ରତ ଏ ଆଖି।
ବଡ଼ ବାତୁଣୀ ଛଇଳୀ ଚତୁରୀ ଏ ଆଖି।।
କେବେ ସତ ପୁଣି କେବେ ଡାହା ମିଛ
ବିଶ୍ୱାସ କେବେ, କେବେ ବିଶ୍ୱାସଘାତ
ସ୍ନେହ ମମତା ର ପସରା ଅଜାଡ଼ି
ସର୍ବସ୍ବ ଉତ୍ସର୍ଗ କରିବାର କାମନା,
ପୁଣି କେବେ ତାତ୍ସଲ୍ୟ ଭରା ଦୃଷ୍ଟି,
ଘୃଣା ବିଦ୍ରୁପ ଅବହେଳା ଅନେକ
ଈର୍ଷା କର୍ଷିତ ଦ୍ୱେଷ ମିଶ୍ରିତ କ୍ଷୁବ୍ଧ
ପ୍ରତିରୋଧ ପରାୟଣୀ ଅତି ହିଂସ୍ର,
ଛଳନା ର ଛଳ ଛଳ ମାୟାବିନୀ ରୂପ
କାମନା ର କମନୀୟ କାମୁକତା ଭରି
ବାସନା ବ୍ୟସନେ ସନ୍ନିହିତ ପ୍ରେମ ଆଶା
ପୁଣି କେବେ ଶାନ୍ତ କାନ୍ତ ଶ୍ରାନ୍ତ କ୍ଳାନ୍ତ
ଚଞ୍ଚଳ ଚପଳ ତୀକ୍ଷ୍ଣ ବାଣ ସମ ଆଖି।
ପଢ଼ିନିଏ ସବୁ କିଛି ଶୁପ୍ତ ଗୁପ୍ତ ଭାଷା
ଚଲାଏ ଅମଡ଼ା ବାଟ ପଢାଏ ଅପଢ଼ା ପାଠ
ଗଢ଼େ ଭାଙ୍ଗେ ନିତି ନୂଆ ସପନ ଏ ଆଖି
ବଡ଼ ବାତୁଣୀ ଛଇଳୀ ଚତୁରୀ ଏ ଆଖି।।
*****************************
ବାମନ ଚନ୍ଦ୍ର ଦୀକ୍ଷିତ।
