ଦୁର୍ଗାଙ୍କ ଦୁଖ
ଦୁର୍ଗାଙ୍କ ଦୁଖ
ମା’ ଆସିଥିଲେ କଲିକତା ବୁଲି ମାଡି ଆସିଲେ ଓଡିଶା
କଟକେ ଛଟକ ଦେଖି ଦୁର୍ଗାଙ୍କର ଉଡିଗଲା ସତେ ହଂସା ।
ଚାନ୍ଦନୀଚୌକରୁ ଚାଉଳିଆଗଂଜ ସିଂହ ବାହନରେ ଚଢି
ବୁଲିଗଲେ ମା' ବୁଝି ପାରିଲେନି ଖରଚ ଯାଉଛି ବଢି !!
ସୁନା ଚାଂଦି ମେଢ ସୁନାର ମୁକୁଟ ତୋରଣ ଦିଗବାରେଣୀ
ବିଜୁଳି ବତିର ସାଜସଜା ଦେଖି ଚମକିଲେ ଶିବପତ୍ନୀ ।
ଖରଚ ଭରଣା କରିବା ପାଇଁ କି ସାହିରେ ଚାନ୍ଦା ଜୁଲମ
ମୋଟା ଅଙ୍କ ଚାନ୍ଦା ଦେବନାହିଁ ଯଦି ହବ ଉତ୍ତମ ମଧ୍ୟମ ।
ରାଜଧାନୀ କଥା ନିଆରା ଭାବିକି ଟପିଗଲେ କାଠଜୋଡି
ଝାରପଡା ଠାରୁ ପାତ୍ରପଡା ଯାଏ ତୋରଣ ଧାଡିକି ଧାଡି ।
ବୁଦ୍ଧେଶ୍ୱରୀ କାଳେ ପଛେ ପଡିଯିବ ସୁଦୃଶ୍ୟ ତୋରଣ ଅତି
ଶହୀଦ ନଗର ସବୁଠୁ ଆଗରେ ନୟାପଲ୍ଲୀ ସମଗତି ।
ନବମୀରେ ହୁଏ ରାବଣ ପୋଡିଟି ମନ୍ତ୍ରୀ ଧନୁଶର ମାରେ
କୋଟି ରାବଣଠୁ ବଳି ପାପୀ ଯିଏ ଧର୍ମଧ୍ୱଜା ସିଏ ଧରେ।
ଭଷାଣୀ ଦିନର ନିଆରା ଉତ୍ପାତ ନାକେଦମ୍ ପ୍ରଶାସନ
ପୂଜା ପାଠ ସିନା ପରିବେଶ ଗଢେ ବଢେ ଏଠି ପ୍ରଦୁଷଣ ।
କଟକ ଚଣ୍ଡୀଙ୍କୁ ଡାକି ବୋଇଲେ ମା' କାହିଁ ବସିଛ ମଉନି
ମ୍ଳେଛ ସଂହାରଣ ପାଇଁ ଅବତାର ପଡିଲ କିଂପାଇ ତୁନି ।
ଚଣ୍ଡୀ କହୁଛନ୍ତି ଗଡଚଣ୍ଡୀ ସାଥେ ମସୁଧା କରୁଛି ମୁହିଁ
ଗୋଟିଏ ମହିଷା ମାରିଥିଲ ଆମେ ନପାରୁ ମିଶିକି ଦୁଇ ।
ଜଗନ୍ନାଥ ଠାରେ ଗୁହାରୀ କରନ୍ତୁ ହେବେ କଳ୍କି ଅବତାର
ହାତଗୋଡ ନାହିଁ ବସିଛନ୍ତି ଆଖି ପତା ନପଡେ ତାଙ୍କର ।
କଳି କାଳ ଏତ ଦେବତା ନିରସ୍ତ୍ର ନୁହଁ ତୁମ ସତ୍ୟଯୁଗ
ଆସୁରିକ ଶକ୍ତି ପ୍ରବଳୁ ପ୍ରବଳ ଶେଷ କର କଳିଯୁଗ ।
ବିଶ୍ୱେଶ୍ୱର ମାଝୀ
