STORYMIRROR

Biswanath Nayak

Others

3  

Biswanath Nayak

Others

ଦୁନିଆ

ଦୁନିଆ

1 min
494



ମଧୁପାନେ ରତ ଥିବା

ମତ୍ତ ମଧୁପ ଆଖିରେ

ସାରା ଦୁନିଆଟା ଦିଶେ

ପବନରେ ଦୋଳାୟିତ ଏକ ନବ କଳିକାର ହସ,

      ଜନନୀ କୋଳରେ ବସି

      ସୁଧାପାନ କରୁଥିବା

      ନିଷ୍ପାପ ଶିଶୁ ଆଖିରେ

      ଦୁନିଆଟା ସ୍ନେହ ଭରା ସତେ ଏକ ଅମୃତ କଳସ। 

ସୁରାପାନେ ମତୁଆଲା

ମଦ ମତ୍ତ ମଦ୍ୟପର

ଘୃମିତ ନୟନ ପଥେ

ସାରା ସଂସାରଟା ଦିଶେ ସତେ ଏକ ମଦର ପିଆଲା,

      ଷୋଡ଼ଶ ବସନ୍ତ ରଙ୍ଗେ

      ରଙ୍ଗାୟିତ ହୋଇଥିବା

      ନବ ଯୁବତୀ ଆଖିରେ

      ଦୁନିଆ ପ୍ରୀତି ରଙ୍ଗରେ ଭରିଥିବା ଏକ ଫଗୁଡାଲା। 

ଜ୍ଞାନ ଆହରଣ ପାଇଁ

ବିଦ୍ୟା ଅଧ୍ୟୟନେ ରତ

ବିଦ୍ୟାର୍ଥୀର ନୟନରେ

ସଂସାରଟା ଦିଶେ ଖାଲି ଜ୍ଞାନ ଆଉ ବିଦ୍ୟାର ମନ୍ଦିର,

      ବ୍ରହ୍ମରୁ ଚଣ୍ଡାଳ ଯାଏ

      ସମଭାବେ ଦେଖୁଥିବା

      ଆତ୍ମଦର୍ଶୀ ଜ୍ଞାନୀ ନେତ୍ରେ

      ଦୁନିଆଟା ଅଟେ ଖାଲି ସତ୍ୟ ,ଶିବ, ପ୍ରେମ ଓ ସୁନ୍ଦର। 

ସ୍ନେହ ଓ ପ୍ରେମ କାଙ୍ଗାଳ

ସୁଦାମା- ମନଟେ ପାଇଁ

ସାରା ଦୁନିଆଟା ଲାଗେ

ଦ୍ଵାରକାର ଅଧିପତି ବାଲ୍ୟ ସଖା ଶ୍ରୀକୃଷ୍ଣ- ବନ୍ଧୁତା,

      ହିଂସା ଦ୍ୱେଷ ପରିପୂର୍ଣ୍ଣ

      ଅହଂକାରୀ ମଣିଷର

      ଅମାନିଆ ମନଟାକୁ

      ସାରା ଦୁନିଆରେ ଖାଲି ଦେଖାଯାଏ ହିଂସା ଓ ଶତୃତା। 

ଭକ୍ତି ସୁଧାପାନେ ଭୋଳ

ଭକତର ଭକତି ଚକ୍ଷୁରେ

ସାରା ବିଶ୍ଵ ଦେଖାଯାଏ

ଭକ୍ତାଧୀନ ପ୍ରଭୁଙ୍କର ସତେ ଏକ ଭକତି ମନ୍ଦିର,

      ଦୁନିଆ କଳ୍ପବଟରୁ

      ଏ ମଣିଷ ଯାହା ଚାହେଁ

      ତାହା‌ ତାକୁ ମିଳିଥାଏ

      ପାର୍ଥକ୍ୟ ଅଟଇ ଖାଲି ଚାହିଁବା ଓ ମନ ଭାବନାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍