ଦୁହିତା
ଦୁହିତା
ମଦ୍ର ଦେଶ ରାଜା ଅଶ୍ୱପତିଙ୍କର
ଦୁହିତା ଥିଲେ ସାବିତ୍ରୀ
ସର୍ବ ସୁଲକ୍ଷଣୀ ପିତୃ ଆଜ୍ଞା ଘେନି
ରଥେ ଭ୍ରମିଲେ ଧରିତ୍ରୀ ।
ପତି ନିର୍ବାଚନ କଲେ ସତ୍ୟବାନ
ଶାଲ୍ୱ ଦେଶ ନରପତି
ଦ୍ୱୁମତସେନଙ୍କ କୁମର ସତ୍ୟରେ
ରହିଥାଏ ତାଙ୍କ ମତି।
ନବରକୁ ଫେରି ପିତା ଓ ନାରଦ
ଋଷିଙ୍କୁ ପ୍ରଣାମ କଲେ
ସତ୍ୟବାନଙ୍କର ଗୋଟିଏ ବରଷ
ଆୟୁ ନାରଦ କହିଲେ ।
ସରବ ଗୁଣ ସମ୍ପନ୍ନ ସତ୍ୟବାନ
ତାଙ୍କୁ ପରିତ୍ୟାଗ କରି
ଆନ ବର ନ ବରିବେ ମା ସାବିତ୍ରୀ
କହିଲେ ଦୃଢତା ଭରି।
ବିବାହ ହୋଇଲା ଜଙ୍ଗଲେ ସାବିତ୍ରୀ
ପତି ଶାଶୁ ଓ ଶ୍ୱଶୁର
ସଙ୍ଗତେ ରହିଲେ ଶତ୍ରୁ ନେଇଥିଲା
ରାଜ୍ୟଟି ଶ୍ୱଶୁରଙ୍କର ।
ବରଷ ପୂରିବା ତ୍ରିଦିନ ପୂର୍ବରୁ
ଲକ୍ଷ୍ମୀ ନାରାୟଣ ବ୍ରତ
ଉପବାସ କରି ଶେଷଦିନ ପତି
ସଙ୍ଗେ ଚଳିଲେ ବନସ୍ତ।
ବୃକ୍ଷେ ଚଢି ପତି କାଟୁଥିଲେ କାଠ
ମଥା ଗଲା ତାଙ୍କ ଘୂରି
ବୃକ୍ଷୁଁ ଓହ୍ଲାଇଲେ ସାବିତ୍ରୀ ନିଜର
କୋଳେ ଶୁଆଇଲେ ଧରି।
ଜୀବ ଗଲା ଚାଲି ଯମରାଜା ନିଜେ
ଉଭା ହୋଇଗଲେ ଆସି
ସତ୍ୟବାନଙ୍କର ପ୍ରାଣ ଘେନି ଗଲେ
ଲଗାଇଣ କାଳ ପାଶୀ ।
ପଛରେ ତାଙ୍କର ସାବିତ୍ରୀ ଚଳିଲେ
ତାଙ୍କ ମଧୁର ବାଣୀରେ
ଆପ୍ୟାୟିତ ହୋଇ ପାଞ୍ଚ ଗୋଟି ବର
ଯମରାଜା ତାଙ୍କୁ ଦେଲେ।
ଶାଶୁ ଶ୍ୱଶୁର ଅନ୍ଧ ଅନ୍ଧୁଣୀ ତାଙ୍କ
ଚକ୍ଷୁ ଦାନ ପ୍ରଥମରେ
ଫେରି ପାଆନ୍ତୁ ସେ ରାଜ୍ୟ ତାହାଙ୍କର
ଏ ଥିଲା ଦ୍ଵିତୀୟ ବରେ।
ତୃତୀୟରେ ପିତା ନିଃସନ୍ତାନ ତାଙ୍କ
ଔରସରେ ଶତପୁତ୍ର
ଚତୁର୍ଥରେ ସତ୍ୟବାନଙ୍କ ଔରସୁ
ଲଭିବେ ସେ ଶତପୁତ୍ର ।
କଥା ଚାତୁରୀରେ ଯମଙ୍କୁ ମୋହିଲେ
ସବୁ ବର ଦେଲେ ଯମ
କହିଲେ ଏଥର ଫେରିଯାଅ ତୁମେ
ପୂର୍ଣ୍ଣ ହେଲା ମନସ୍କାମ ।
ସାବିତ୍ରୀ କହିଲେ ହେ ଧର୍ମରାଜନ
ଧରମରେ ତୁମେ ଥାଅ
ପତି ବିନା ତାଙ୍କ ଔରସରୁ ମୋର
କିପରି ହୋଇବେ ପୁଅ ।
ପତିଙ୍କ ଜୀବନ କର ମୋତେ ଦାନ
ଉପାୟ ନ ପାଇ ଯମ
ଜୀବ ଦାନ ଦେଲେ ସତ୍ୟବାନେ
ଦେଖ ଦୁହିତା କଲେ କି କର୍ମ ।
ସ୍ୱାମୀ ପିତା ମାତା ଶାଶୁ ଶ୍ୱଶୁରଙ୍କ
ଜୀବନ କୁଳ ରଖିଲେ
କାଳ କାଳକୁ ସେ ପତିବ୍ରତା ସତୀ
ଦୁହିତା ବିଦିତ ହେଲେ।
