STORYMIRROR

Niranjan Mishra

Others

4  

Niranjan Mishra

Others

ଦୁହିତା

ଦୁହିତା

1 min
235


ପିତୃକୁଳ ପତିକୁଳ ଦୁଇକୁଳ

ହିତକାରୀ ହୋଇଥାଏ

ସେଇଥିପାଇଁକି ଦୁହିତା ସମାଜେ

ତାକୁ ବୋଲନ୍ତି ସଭିଏଁ ।


ଆୟୁଷ ସମ୍ମାନ ବଢଇ ପିତାର

ଦୁହିତାଟି ହେଲେ ଜାତ

ମହାଲକ୍ଷ୍ମୀ ଘରେ ଜନମ ହୋଇଲେ

ସଭିଏଁ କହନ୍ତି ସତ।


ଦୁହିତାଟି ଯଦି ରହିଥାଏ ଘରେ

ଘର ସଦା ହସୁଥାଏ

ଝିଅ ଝିଅ ଡାକ ସଭିଙ୍କ ମୁହଁରୁ

ସର୍ବଦା ବାହାରୁଥାଏ।


ସେନେହ ଶରଧା ସଭିଙ୍କଠୁ ପାଇ

ଖୁସିରେ ସେ ବାଟ ଚାଲେ

ସଭିଙ୍କ ନଜର ଥାଏ ତା ଉପରେ

ଯେଉଁ ଆଡେ ସିଏ ଗଲେ।


ବାପାଙ୍କ ସେନେହ ଦୁହିତା ଉପରେ

ଅଧିକ ଟିକିଏ ଥାଏ

ମାଆର ଶରଧା ମାଆର ପଣତ

କାନିରେ ସେ ବନ୍ଧା ଥାଏ।


ମାଆ ପଛେ ପଛେ ଗୋଡାଇ ଥାଏ ସେ

ମାଆକୁ ନ ଛାଡେ ତିଳେ

ବଡ ଟିକେ ହେଲେ ହେଉ ପଛେ ମାଆ

ଝିଅକୁ ନିଜେ ସମ୍ଭାଳେ ।


ଘରର ସମ୍ମାନ ଜଗିଥାଏ ସଦା

ସଜାଡି ଘର ଦୁଆର

ସଭିଙ୍କର କଥା ବୁଝଇ ଦୁହିତା

ନଥାଏ ଆପଣା ପର।


ପିତୃକୁଳ ଉଦ୍ଧାରିବା ସଙ୍ଗେ ସଙ୍ଗେ

ଶାଶୁଘର ଯେବେ ଗଲା

ପତିକୁଳ ଉଦ୍ଧାର କରିବା ପଣ

ନିଜେ ନିଜେ ଆଚରିଲା।


ଯେଉଁ ସଂସ୍କାରରେ ବଢିଥିଲା ଘରେ

ସେ ସଂସ୍କାର ଶାଶୁଘରେ

ରଖି ସେ ଚଳିଲା ସଭିଙ୍କୁ ମୋହିଲା

କିବା ମୋହିନୀ ମନ୍ତରେ ।


ସଭିଙ୍କର ମନ ନେଇ ସେ ଚଳିଲା

ରଖିଲା ବାପାଙ୍କ ଟେକ

ବିବେକ ଖଟାଇ ନିଜ ବୁଦ୍ଧିରେ ସେ

ହରିଲା ସଭିଙ୍କ ଦୁଃଖ ।


ଶାଶୁ ଶଶୁରଙ୍କ ସେବା କରେ ପତି

ମତି ଜାଣି ସେବା କରେ

ଗୁରୁ ଗୁରୁଜନ ଛୁଆଙ୍କର କଥା

ସବୁ ବୁଝେ ଆନନ୍ଦରେ ।


ନିଜ ଦୁଃଖ କଷ୍ଟ ସହେ ଅବିରତ

ଦୁଇ କୁଳର ସେ ହିତା

ସବୁ ସମ୍ମାନର ଅଧିକାରିଣୀ ସେ

ନାଁ ତାହାର ଦୁହିତା।


Rate this content
Log in