ଦୁହିତା
ଦୁହିତା
ଶଶାଙ୍କ ଶେଖର ରାୟ
ନିଜ ଗାଁ ଏନ୍ତୁଡିଶାଳାରୁ
ପର ଗାଁ ଶ୍ମଶାନଭୂଇଁ ଯାଏଁ
ଲମ୍ଵିଛି ମୋ ଜୀବନର ପଥଟିଏ
ଖଣ୍ଡାଧାରେ ଚାଲିବାକୁ ପଡେ
ଅତି ସତର୍କତାର ସହ
କାହିଁକିନା
ମୁଁ କୁଆଡେ ହାଟିହାଣ୍ଡିଟିଏ
ମାରା ହୋଇଯିବି କାଳେ
କେଉଁ ଜିଅନ୍ତା ପ୍ରେତର ଛୁଆଁରେ ।
ଭୟର କଳା ବାଦଲ ଉହାଡେ
ଲୁଚିଯାଏ ଉଇଁଥିବା ମୋ ସୂର୍ଯ୍ୟ
ଅନ୍ଧାର ଡରାଏ ପାଳଭୂତ ସାଜି
ବାଟ ଓଗାଳି ଭୂଲାଇଦିଏ
ଉଡିବାର ସ୍ଵପ୍ନ ଖୋଲା ଆକାଶରେ ।
ସବୁବେଳେ ମାପିଚୁପି ସୁସଂଯତ
ଓଢଣୀତଳେ ମନ ଆଉ ଦେହ
ନଜର ଜଞ୍ଜିରେ ବନ୍ଧା ମୁଁ କଏଦୀ
ସଜା କାଟୁଥାଏ ବିନାଦୋଷେ ।
ଟିକିଲିରୁ ସିନ୍ଦୁର ଟୋପାଟିଏ
ପୋଷାକରୁ ଶାଢୀ ଦେଇ ହାତେ ମୁଠେ ଚୁଡି
ଫାଶିଦିଅ ମୋର ସବୁ ସ୍ଵାଧୀନତାକୁ ।
କୁଢ କୁଢ ଜଞ୍ଜାଳ ବୋଝର
ପାଳ ଦଉଡିରେ
ଧାନ ଓଳିଆ ପରି
ନିବୁଜ କରି ବାନ୍ଧିଦିଅ ମୋ ସ୍ଵପ୍ନକୁ
ଆଉ କାହା ବାରଣ୍ଡାରେ
ସୁନେଲି ଭବିଷ୍ୟତଟିଏ ଗଢିବା ଲକ୍ଷ୍ୟରେ ।
,,,,,,,,,,,,,,,
ମୋ - ୭୩୭୭୧୯୭୯୯୯
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
