ଦୁହିତା
ଦୁହିତା
ଝିଅଟିଏ ଯେବେ ଜନମି ଥାଏଟି
କୁଆଁକୁଆଁ ରାବ ଦେଇ,
କୋଟି ପୁଣ୍ଯ ବଳେ ମାଆ କୋଳ ମଣ୍ଡେ
ଦୁହିତା ଜନମ ପାଇ।
ଦୁଇ କୁଳ ହିତ ସାଧିଥାଏ ବୋଲି
ନାମ ତାହାର ଦୁହିତା,
ସଭିଙ୍କ ସେନେହ ଆଦରରେ ବଢେ
ହୁଏ ସେ ଜଗତଜିତା।
ସ୍ନେହ ମମତାର ଡୋରିରେ ସେ ବାନ୍ଧି
ହୋଇ ପୁଣ୍ଯ ବାଣ୍ଟି ଥାଏ,
ବାପଘରେ ପରା ସଭିଙ୍କର ସିଏ
ଅଲିଅଳି ରତ୍ନ ଟିଏ।
ବାପାଙ୍କର ମାନ ମର୍ଯ୍ୟାଦା ପାଇଁକି
ସର୍ବଦା ଥାଏ ଚେ଼ଷ୍ଟିତ,
କର୍ତ୍ତବ୍ଯ ସାଧନେ ଓହରି ନଯାଇ
ହୁଏ ସଭିଙ୍କ ଆଦର୍ଶ।
ପରଧନ ବୋଲି ସଭିଏଁ କହନ୍ତି
ପର ହାତ ଧରେ ବୋଲି,
ପରକୁ ଆପଣା କରି ଥାଏ ସିଏ
ମଥାରେ ସିନ୍ଦୁର ବୋଳି।
ଶାଶୁ ଘରକୁ ସେ ଚାଲିଗଲା ପରେ
ଘରର ଏରୁଣ୍ଡି ଡେଇଁ,
ପର ହୋଇଯାଏ ବାପଘର ପାଇଁ
ଭିନ୍ନ ରରିଚୟ ପାଇ।
ପରିଚୟ ତା'ର ବୋହୂ ହୋଇ ଯାଏ
ସାଜି ଗ୍ରୁହଲକ୍ଷ୍ମୀ ଟିଏ,
ଜୀବନ ଯଜ୍ଞରେ ଶକ୍ତିମୟୀ ସାଜି
ନିଜକୁ ଆହୂତି ଦିଏ।
ସଂସାର ଦୁଃଖକୁ ହସିହସି ଦିଏ
ଛାତି ତଳେ ଚାପି ରଖି,
ପତିବ୍ରତା ହୋଇ ତ୍ଯାଗ, ଭକ୍ତି, ଦାନ
କର୍ତ୍ତବ୍ୟରେ ରଖି ମତି।
ଆଖିର ଲୁହକୁ ଓଠ ତଳେ ଚାପି
ଦୁଇ କୁଳ ହିତ ପାଇଁ,
ଦୁହିତା ନାମକୁ ସାର୍ଥକ କରିବା
ପାଇଁ ସର୍ବଦା ଜଳଇ।
