ଦ୍ରୁମ
ଦ୍ରୁମ
କେବେ ମାଟିର ଜଠର ତଳୁ
ବୀଜ ଟିଏ ଅଙ୍କୁରିତ ହୁଏ
ପଲ୍ଲବିତ ହୁଏ ,
ପଞ୍ଚଭୂତର ବିଭୂତିରେ ବିସ୍ତାରି ଯାଏ
ତା ମହିମାଦୀପ୍ତ କାୟ ଛାୟା ....
ସେ ମଥା ତୋଳେ ଛୁଇଁବାକୁ ନଭ ,
ସୂର୍ଯ୍ୟ ନମସ୍କାର ମୁଦ୍ରାରେ ଦଣ୍ଡାୟ ମାନ
କାଳ କାଳ ।
ଦ୍ରୁମ ଟିଏ ଯେତିକି ପ୍ରଲମ୍ବିତ ହେଉଥାଏ
ଶୂନ୍ୟ ଆକାଶର ଦିଗନ୍ତ ଆଡେ
ସେତିକି ନିମଜ୍ଜୀତ ହେଉଥାଏ
ଧରଣୀର ଅଭ୍ୟନ୍ତରେ
ତା ଚେତନାର ଚେର ଗୁଛମାନ
ମାଟିକୁ ଜାବୁଡି ଧରୁଥାନ୍ତି
ମାଆ କୋଳେ ଶିଶୁଟିଏ ପରି ।
ସେ ବିହ୍ବଳ ପଣରେ ପିଉଥାଏ
ମାଆ ଛାତିର ମକରନ୍ଦ
ଅମନ୍ଦଗାମିନୀ ସ୍ରୋତସ୍ବିନୀର ଚିର ଅମୃତ ପୟ ।
ଆକାଶର ତାରା ଫୁଲ
ପ୍ରଗଳ୍ଭ କରୁଥାଏ ଦ୍ରୁମର ମନ ମନ୍ଦିର
ତା ନିଃସର୍ତ୍ତ ସମାଧି ମୁଦ୍ରାରେ
ଶାଶାଙ୍କର ପ୍ରୀତି ପୀଉଷର ଧାର
ରକ୍ତିମ ସୂର୍ଯ୍ୟର ଲାଲିମା
ତିଳକ କପାଳଳରେ ତା'ର !
ଆଶୀଷର ଶିଶିର ବିନ୍ଦୁରେ ସ୍ନିଗ୍ଧ
ପର୍ଣ୍ଣ ସୁମଞ୍ଜୁଳ !!
ଦ୍ରୁମଟିଏ ନିରବଧି ସାଧନାର
ସିଦ୍ଧ ପୁରୁଷ ,
ଜୀବନ ସୃଷ୍ଟିର ମହତ୍ ଆକାଂକ୍ଷାର
ଅନିର୍ବଚନୀୟ ଅସ୍ତିତ୍ବ ।
ଜୀବନର ବ୍ୟାପ୍ତି ପ୍ରାପ୍ତି ରେ ନଥାଏ
ଥାଏ ତ୍ୟାଗରେ ,ତିତିକ୍ଷାରେ ,
ଚିରଦିନ ସମର୍ପଣ ମୁଦ୍ରାରେ ।
ଏଇ ବୋଧେ ଜୀବନର ଧ୍ରୁବ ସତ୍ୟ....
ଗୋଟେ ଚିର ରହସ୍ୟ
ଐଶୀ ଚେତନା
ଏଇ ବୋଧେ ମଗ୍ନ ମାଟିର ସ୍ନିଗ୍ଧ ସୃଷ୍ଟି
ଇପ୍ସିତ କାମନା ।
କେତେ ନିଟୋଳ ଜହ୍ନରାତିର ଅଭିସାର
କେତେ ରାକା ରଜନୀର ସୀତ୍କାର
ଅଙ୍ଗୀଭୂତ ଏଇ ଦ୍ରୁମର ଗହନ ଶାଖାରେ ଶାଖାରେ,
କେତେ ପିକର କୁହୁ
ପକ୍ଷୀର କାକଳି
କେତେ ନୀଡ ତ୍ରାସହୀନ ଦ୍ରୁମ ର ଛାତିରେ ।
ଫୁଟାଇଛି କେତେ ହସ ଫୁଲ
ଫଳାଇଛି କେତେ ଫଳ
ସମାଜର କଲ୍ୟାଣ ବାଞ୍ଛାରେ ।
ଦ୍ରୁମ ଟିଏ ସହିଚିବି ଯାତନା ଅନେକ
ଦାରୁଣ ନିଦାଘ କଷଣ
ସହିଚିବି କେତେ ବତାସୀ ଝଡର ନିର୍ମମ ଅତ୍ୟାଚାର
କେବେ ଭୂଲୁଣ୍ଠିତ ତା ଅସହାୟ ଶାଖା ପତ୍ର ,
ତଥାପି କେତେ କାରୁଣିକ ସେ
ମହିମାଦୀପ୍ତ ଉର୍ଦ୍ଧ୍ବ ଚେତନା ପୁରୁଷ
ନିରବରେ ବାଣ୍ଟି ଚାଲିଚି ତା କୋମଳ ଶୀତଳ ପରଶ ।
ଦ୍ରୁମ କେବେ ବିସ୍ତାପିତ ନୁହେଁ
ନୁହେଁ ବି ପଳାତକ ,
ସେ ନତମୁଖ ମାଟିର ପାଦତଳେ
ସେ ଚିରଦିନ ମାଟିର ସନ୍ତାନ
ମାଟି ତା'ର ମାଆ କୋଳ
ମମତା ମହକ ।
-----