ଦ୍ରୌପଦୀଙ୍କ ଅକ୍ଷୟ ପାତ୍ର
ଦ୍ରୌପଦୀଙ୍କ ଅକ୍ଷୟ ପାତ୍ର
ମହର୍ଷି ବେଦବ୍ୟାସ ରଚିଲେ ମହାଭାରତ ଗାଥା,
ଛଳନା,ପ୍ରପଞ୍ଚ,କପଟ, ଅନ୍ୟାୟ,ଅନୀତି ସବୁ କଥା,
ପୁଣି ଧର୍ମର ଅଧର୍ମ ଉପରେ ବିଜୟର ସମସ୍ତ କଥା,
ଧର୍ମ ପଥେ ପଞ୍ଚୁପାଣ୍ଡବ, ଅଧର୍ମ, ଅନ୍ୟାୟ ପଥେକୌରବ,
ଅନ୍ତେ ପାଣ୍ଡବ କଲେ ସ୍ଥାପନା ଏ ଜଗତେ ସତ୍ୟ,ଧର୍ମର।
କପଟୀ ଦୁର୍ଯ୍ୟୋଧନର ଚକ୍ରାନ୍ତେ ପାଣ୍ଡବେ ଗଲେ ବନବାସ,
ସଙ୍ଗେ ଥିଲେ ଦ୍ରୁପଦ ନନ୍ଦିନୀ ପଞ୍ଚୁପାଣ୍ଡବଙ୍କ ଅତ୍ୟନ୍ତ ପ୍ରିୟ,
ଅତିଥିସେବା,ଦାନଧର୍ମେ ପାଣ୍ଡବେ କରନ୍ତି ବନେ ଜୀବନ ବ୍ୟତୀତ,
ଏକଦିନେ ଦୁର୍ବାସା ମୁନି ଦୁର୍ଯ୍ୟୋଧନର ସେବାରେ ହୋଇଣ ପ୍ରୀତ,
ବର ପ୍ରାପ୍ତି ନିମନ୍ତେ କହିବାରୁ ଦୁର୍ଯ୍ୟୋଧନ କହିଲା କରି କପଟ,
ମମ ଜ୍ୟେଷ୍ଠ ଭ୍ରାତ ଧର୍ମରାଜ ଯୁଧିଷ୍ଠିର ଅତ୍ୟନ୍ତ ଅତିଥି ପରାୟଣ,
ଯାଅ ହେ ମହର୍ଷି ପଞ୍ଚୁପାଣ୍ଡବଙ୍କ ପାଶେ, ହୋଇବେ ସେ ଅତ୍ୟନ୍ତ ପ୍ରୀତ।
ଆନନ୍ଦେ ଚଳିଲେ ମହର୍ଷି ଦୁର୍ବାସା ଶିଷ୍ୟଗଣଙ୍କ ସହ ପାଣ୍ଡବଙ୍କ ପାଶ,
ଯୁଧିଷ୍ଠିରଙ୍କ ପାଶେ ଯାଇ କହିଲେ ସେ ହୋଇଛନ୍ତି ଅତ୍ୟନ୍ତ କ୍ଷୁଧିତ,
ହରଷ ମନେ ଧର୍ମରାଜ ତାଙ୍କ କ୍ଷୁଧା ନିବାରଣ ପାଇଁ ହୋଇଲେ ତତ୍ପର,
ସେସମୟେ ପଞ୍ଚୁପାଣ୍ଡବ ଓ ଦ୍ରୌପଦୀଙ୍କ ଶେଷ ହୋଇଥିଲା ଯେ ଭୋଜନ,
ସୂର୍ଯ୍ୟ ଦେବଙ୍କ ଆଶିଷ ବଳେ ଦ୍ରୌପଦୀଙ୍କ ପାଶେ ଥିଲା ଯେ ଅକ୍ଷୟ ପାତ୍ର,
ପ୍ରତିଦିନ ସେ ପାତ୍ରରୁ ଯେତେ କଲେ ଭୋଜନ, ସମାପ୍ତ ହୁଏ ନାହିଁ ଅନ୍ନ,
ଦ୍ରୌପଦୀଙ୍କ ଭୋଜନ ଅନ୍ତେ ହେଲେ ସେ ପାତ୍ରରେ ଆଉ ନ ଥାଏ ଖାଦ୍ୟ,
ମହର୍ଷି ଯେ ଅତ୍ୟନ୍ତ କ୍ରୋଧୀ ସେ କଥା ନ ଥିଲା ଦ୍ରୌପଦୀଙ୍କୁ ଅଗୋଚର,
ପାତ୍ର ଯେ ହୋଇଛି ଶୂନ୍ୟ, ଭୋଜନ ଆଣିବେ କେମନ୍ତେ ଭାବି ପାଞ୍ଚାଳୀ ବ୍ୟସ୍ତ,
ଏ ବିପଦ ସମୟେ ସଖା ଶ୍ରୀକୃଷ୍ଣ ଙ୍କୁ ସଖୀ ଦ୍ରୁପଦ ନନ୍ଦିନୀ କରିଲେ ସ୍ମରଣ।
ଅବିଳମ୍ବେ ସଖି କୃଷ୍ଣାଙ୍କ ବିନତୀ ଶୁଣି ପାଶେ ଆସି ମିଳିଲେ ମୂରଲୀ ମୋହନ,
ସେ ତ ଜଗତ କରତା, ଜାଣନ୍ତି ସଭିଙ୍କ ମନକଥା, ତାଙ୍କୁ ଅବା କି ଅଗୋଚର,
ଆସୁ ଆସୁ ସଖୀଙ୍କୁ କୁହନ୍ତି ଶ୍ରୀକୃଷ୍ଣ, ସେ ଯେ ହୋଇଛନ୍ତି କ୍ଷୁଧିତ ଅତ୍ୟନ୍ତ,
ଖାଇବାକୁ ଯାଆନ୍ତେ, ବ୍ୟାକୁଳ ମନେ ଦ୍ରୌପଦୀ କହନ୍ତି ସଖାଙ୍କୁ ସମସ୍ତ ବୃତ୍ତାନ୍ତ,
ଶୁଣି ଏ କଥା ଶ୍ରୀକୃଷ୍ଣ ଅକ୍ଷୟପାତ୍ର ରୁ ଖୋଜି ଅନ୍ନ ଏକ ଦାନା ଖାଇଲେ ତକ୍ଷଣ,
ଯେମନ୍ତେ ପ୍ରଭୁ ଭୁଞ୍ଜିଛନ୍ତି ଅନ୍ନକଣ, ତୃପ୍ତ ହୋଇଲେ ମୁନି ଓ ତାଙ୍କ ଶିଷ୍ୟ ଗଣ
ତୃପ୍ତ ମନେ ମହର୍ଷି ଦୁର୍ବାସା ଶିଷ୍ୟଗଣଙ୍କୁ ନେଇ ଲେଉଟି ଗଲେ ନିଜ ଆସ୍ଥାନ,
ଭକ୍ତ ପାଇଁ ପ୍ରଭୁ ସଦା ସର୍ବଦା ଭକ୍ତ ପାଶେ ଥାଆନ୍ତି, ସେ ଯେ ଭକତ ବତ୍ସଳ,
ମହାଭାରତ ଗାଥା ରଚିଲେ ବେଦବ୍ୟାସ, ବନପର୍ବେ ଏ କଥା କରି ବ୍ୟାଖ୍ୟାନ।
#ତୃତୀୟ ମହାସପ୍ତାହ, ଗାଥା କବିତା