ଦୋଷ କ୍ଷମ କ୍ଷମାନିଧି
ଦୋଷ କ୍ଷମ କ୍ଷମାନିଧି
ଭାବରେ ଯଦି ମୁଁ ଦେଖି ଦେଲେ କେବେ
ତୋ ଚକାଆଖିକୁ ଥରେ
କାହିଁକି କେଜାଣି କଣ୍ଠ ରୁଦ୍ଧ ହୁଏ
ଅଜାଣତେ ଲୁହ ଝରେ ।
ଆଖି ମୁଁ ବୁଜଇ ତୋତେ ତ ଖୋଜଇ
କେଉଁଠି ଛାଡିଛି ତୋତେ
ତୋର ମୋର ଭାବ କରିଛି ଅଭାବ
ପାଇଲି ଯାତନା କେତେ ।
ଭ୍ରମିଛି ଭ୍ରମରେ ମିଛର ମାୟାରେ
ଠକିଛି ନିଜକୁ ସତେ
ଅନୁତାପାନଳେ ହୃଦ ମୋର ଜଳେ
ଫଳ ମିଳେ କର୍ମ ମତେ ।
ଏ ଭବ ଜାଲରେ ଜୀବ ଛନ୍ଦି ଝୁରେ
ରଖବାରେ ଦୟାମୟ
କୃପା ବିନା ତୋର ନାହିଁ ଯେ ନିସ୍ତାର
ତୁ ପରା ମୋ ପରିଚୟ।
ଜାୟାର ପ୍ରଣୟ ସନ୍ତାନର ସ୍ନେହ
ଅଟେପରା ତୋର ଦାନ
ବନ୍ଧୁପରିଜନ ଜଗତ ଜୀବନ
ସବୁ ତୋହରି ଭିଆଣ ।
ସକଳ ସୃଷ୍ଟିର ଅଟୁ ଯେ ଆଧାର
ଖେଳୁ ଉର୍ଣ୍ଣନାଭି ସମ
ଇଚ୍ଛା ମତେ ତୁହି ଲୀଳା ଯେ କରଇ
ବୁଝି ନପାରେ ଅଧମ।
ଶ୍ରୀଚରଣେ ତୋର ଫିଙ୍ଗି ଅହଂକାର
ତୋ ଶରଣେ ଦୟାନିଧି
ଏ ଭବ ସାଗରେ ପାରିକର ବାରେ
ଦୋଷକ୍ଷମ କ୍ଷମାନିଧି ।।।