ଦୋ ଛକିରେ ଜୀବନ
ଦୋ ଛକିରେ ଜୀବନ
ଜୀବନ ଜଞ୍ଜାଳ ବିଷମ ଗତିରେ ସମାଜ ଚଳଣି ଭାବ
ଅପସଂସ୍କୃତି ଧସେଇ ପଶୁଛି ରିତି ନୀତି ଅଭିନବ ।।
ଧରମ ଧାରଣା ଜାତିଗତ ପ୍ରଥା ସାମ୍ପ୍ରଦାୟକ ଦଙ୍ଗା
ରକ୍ତେ ବସୁମତୀ ହୁଏ ଅପବିତ୍ର ହୁଏ ପୂଣ୍ୟତୋୟା ଗଙ୍ଗା ।।
ନବ ଆକାଂକ୍ଷା ର ନୀରବ ଆହ୍ଵାନ
ମଧୁମୟ ଉଷ୍ଣ ସମ୍ଵେଦନ
ସାଂପ୍ରତିକ ମୁଗ୍ଧ ନବ ଆକର୍ଷଣ
(ତେଣୁ) ଦୋଛକିରେ ଦେଖ କେମିତି ଜୀବନ ।।
ଧନୀକ,ଗରୀବ,ବର୍ଣ୍ଣ,ଅସବର୍ଣ୍ଣ ଵିଭେଦର ନିଆଁ ଜାଳେ
ନିର୍ଣ୍ଣୟ ହୀନ ପଥ ଦୋଛକିରେ ଏଜୀବନ କି ବିକଳେ ।।
ଯୁବଶକ୍ତି କରେ ବିଦ୍ୟା ଉପଯୋଗ କର୍ମ ସଂସ୍ଥାନ ପାଇଁ
କର୍ମ ବିହୀନ ହତାସେ ଜୀବନ ବାଟଖୋଜି ପାଉନାହିଁ ।।
ବିପୁଳ ପିପାସା ଅଚିନ୍ତ୍ୟ ଚିନ୍ତନ
ଅବିଶ୍ଵାସ୍ୟ ନୀଳ ନିମନ୍ତ୍ରଣ
ଅଦୃଶ୍ୟ ଅବୋଧ ତୁଛା ଆକର୍ଷଣ
(ତେଣୁ) ଦୋ ଛକିରେ ଦେଖ କେମିତି ଜୀବନ ।।
ଅନ୍ଧାର,ଆଲୋକ ସମାନ ଦୃଶ୍ୟେ ବଣା ଯାଏହୋଇ ପଥ
ଚିନ୍ତା,ଚେତନା ବିଦ୍ରୋହେ ଜୀବନ ଦୋଛକି ରେ ଉପଗତ ।।
ପ୍ରକୃତି ପ୍ରଭୁତ୍ଵ କି ବିକୃତ ରୂପେ ବିଦ୍ରୁପ କରୁଅଛି
ଭୟାନ୍ନକ ଅଭିନୟ ଅଭିନୟେ କେମିତି ସେ ବଦଳୁଛି ।।
ନୈସର୍ଗିକ ପ୍ରେମ ଦିବ୍ୟ ଭାବନ
ଯେଣୁ ହୁଏ ଅବକ୍ଷୟ ମାଣ
ଅସତ୍ୟ ଜର୍ଜର ଅନ୍ତସ୍କରଣ
(ତେଣୁ) ଦୋଛକିରେ ଦେଖ କେମିତି ଜୀବନ ।।
ସମୁଦ୍ର ଉତ୍ତାଳ ତରଙ୍ଗେ କବଳ ହୋଇଯାଏ ଜନପଦ
ଗିରିଶୃଙ୍ଗ ଧସି ଖିନ୍-ଭିନ୍ ମହୀ କିପରି କରଇ ଦେଖ ।।
ସହାରହା ହରା ମଣିଷ ଜୀବନ ଦୋ ଛକିରେ ହୋଇଠିଆ
ଅକାଳେ ଖୋଜୁଛି ଭବିଷ୍ୟ ଜୀବନେ ତା’ର ବଞ୍ଚିବାର ରାହା ।।