ଦୋ'ଛକି ରେ ଜୀବନ
ଦୋ'ଛକି ରେ ଜୀବନ
ଜୀବନକୁ ବୁଝୁ ବୁଝୁ
ଆୟୁଷ ସରିଯାଏ ,
କେତେ ପୀଡା ,ଆର୍ତ୍ତ ଚିତ୍କାର ବ୍ୟର୍ଥ ହୁଏ
କେତେ ଛକରେ ଠିଆ ଏ ଜୀବନ
ନିର୍ଣ୍ଣୟ କରିବାର ସମୟ କ୍ଷୀଣ .....
ତଥାପି ଜୀବନ ଆଗକୁ ବଢେ
କେବେ ଝୁଣ୍ଟେ ,କ୍ଷତାକ୍ତ ହୁଏ
କେବେ ହୁଏ ବାଟବଣା !
ଦୋ'ଛକିରେ ଠିଆ
ସେଦିନର ମୁହ୍ୟମାନ ଅର୍ଜୁନ
ଆଶଙ୍କାରେ ଜଡସଡ ,
କେବେ ନ ଫେରିବାର ଦାୟରେ
କୃଷ୍ଣ କର୍ତ୍ତବ୍ୟର ଦାସ
ଗୋପରୁ ମଥୁରା
ମଥୁରାରୁ ସାଗରତୀର୍ଥ ଦ୍ବାରକା
ନିଜ ଇଛା ଅନିଛାର ଚକ୍ରବ୍ୟୁହରେ
କୋକୁଆର ବିଚିତ୍ର ବିକଳ୍ପ
ନିଜ ହାତରେ ନିଜବଂଶର ବିନାଶ
ଊର୍ଣ୍ଣନାଭି ପରି ...
କି ମର୍ମର ରାଗିଣୀ ସତେ ଦୋ'ଛକିର ଜୀବନ !
ସେଦିନ ସହିବାକୁ ହେଲା
ନିଜ ଅସହାୟ ପୁରୁଷାର୍ଥ ପାଇଁ ଯାବତ ଯନ୍ତ୍ରଣା
ପିତୃସତ୍ୟ ପାଳନର ମହାର୍ଘ ମୁହୂର୍ତ୍ତ
ବନବାସୀ ଜୀବନର ବିଧୂର କଷଣ ,
ପ୍ରଜାପାଇଁ ବାରବାର ଅଗ୍ନି ର ପରୀକ୍ଷା
ଦୋ'ଛକିର ଜୀବନ କ'ଣ
କମ୍ ପୀଡାଦାୟକ !
ଏବେ ମୁଁ ନିଜକୁ ଭାଙ୍ଗୁଚି ଗଢୁଚି ତିଳ ତିଳ
ମୋ ଚାରିପଟେ ଗହଳ ଚହଳ
ବେଦନାର ବଟବୃକ୍ଷ ପରି
ପ୍ରସାରି ଦେଇଛି ନିଜକୁ
ଅନ୍ତରେ ଯନ୍ତ୍ରଣାର କୁହଳା ନିଆଁ ରେ ବି
ମୁଁ ହସୁଛି ଛଳ ଛଳ ।
କିଏ ମୋର ଲେଖନୀ ମୂନକୁ କରିଦେବାକୁ ନିଶ୍ଚୁପ
କରୁଛି କନ୍ଦଳ ,
ମୁଁ ବୋଧେ ସତ୍ୟର ସନ୍ଧାନୀ
କାହା ମୁଖା ଖୋଲିଯିବାର ଭୟ ରେ
ମେ ଆଗରେ ଶାଣିତ କରବାଳ ।
ଏବେ ଖଣ୍ଡାଧାରରେ ଚାଲିବାକୁ ହେବ
ଭୁଲି ଯିବାକୁ ହେବ ମୋ ଦରଦୀ ଜୀବନର
ମିଛ ଅହଂକାର !
କେମିତି ଜୀବନ ସଂଧ୍ୟାରେ ଆସେ
ଗୋଟେ ଶୀତଳ ପରଶ
ଲିଭି ଆସୁଥିବା ସୂର୍ଯ୍ୟର
ଶେଷ ଲୋହିତ କିରଣ ପରି ମୋ ବିମର୍ଷ ଜୀବନ
ଏଠି ସନ୍ଧି କରିନେବାକୁ ହେବ
ଦିନ ଆଉ ରାତିର
ପୂଣ୍ୟ ଆଉ ପାପର
ବିଷ ଆଉ ପୀଉଷର !
ମୋ ଅତୃପ୍ତ ଆତ୍ମାର କଳାଛାଇ
ରଜନୀର ପଣତରେ ଘୂମାଇ ପଡିବ
ମୋ ସ୍ବପ୍ନ ପ୍ରବଣ ମନର ପୂନେଇ ତିଥିରେ
ଅଦିନ ଜୁଆର ଆସିବ
କେବେ ସଲୀଳ ସମାଧି ନେବ ଏ ନିରଙ୍କୁଶ
ଅନ୍ୟୟ ଅନୀତି ଭ୍ରଷ୍ଟାଚାରର କଷଣ ।
ମୋ ପିଣ୍ଡ ବ୍ରହ୍ମାଣ୍ଡ
ପାଲଟି ଯାଉଥିବ ଭାସମାନ ବଟପତ୍ରଟିଏ
କେହିତ ମୁକ୍ତିର ଆଶ୍ରୟ ଲୋଡିବ !
ଦୋ'ଛକିର ଜୀବନ ମୋର
ସାର୍ଥକ ହୋଇବ ।।
