ଦ୍ଵିତୀୟ ପ୍ରତିଶ୍ରୁତି
ଦ୍ଵିତୀୟ ପ୍ରତିଶ୍ରୁତି
ବାହାବେଦୀ ହୋମନିଆଁ କେବେଠାରୁ ଲିଭିଲାଣି,
ବଉଳପାଟର ରଙ୍ଗ ଦିଶିଲାଣି ଫିକା।
ବାସର ଦୀପ ହେଲାଣି ନୀରବ ନିଷ୍ପ୍ରଭ।
ହାତଗଣ୍ଠି ବେଳର ସେ ପ୍ରଥମ ପରଶ,
ଆଜି ଆଉ ଭରୁନାହିଁ ମନରେ ଉଷ୍ମତା।
ତୁମ ପାଦ ନୁପୂରର ରୁଣୁଝୁଣୁ ଶବ୍ଦ,
ତୋଳୁନାହିଁ ମୋ କାନରେ ମଧୁର ମୂର୍ଛନା।
ବାଦଲ ଉହାଡେ ଲୁଚି ଝରକା ଫାଙ୍କରେ,
ଆମ ନିବୀଡତାକୁ ନିରୀକ୍ଷଣ କରୁଥିବା,
ପାହାନ୍ତିଆ ଜହ୍ନ,
ଆଜି ଆଉ ଉଦ୍ଭାସିତ କରୁନାହିଁ,
ତୁମର ସେ ଗୋଲାପି ଅଧର।
ତୁମ କୃଷ୍ଣ କବରୀର ରଜନୀଗନ୍ଧାର ବାସ୍ନା,
ଚଇତାଳୀ ପବନରେ ଭାଙ୍ଗୁନାହିଁ ଆଉ ମୋ ସପନ।
ବୟସ କୃଷ୍ଣ ଚୂଡାର ଶେଷ ପାଖୁଡାଟା,
ଝଡିବାକୁ ଅପେକ୍ଷା କଲାଣି।
କିନ୍ତୁ! ମୋର ମନେଅଛି ସେଦିନର ପ୍ରତିଶ୍ରୁତି।
ସାକ୍ଷୀ ଥିଲେ ଦଶଦିଗପାଳ।
ଦେଇଥିଲି କଥା ମୁଁ ତୁମକୁ
ଆସିଲେବି ଜୀବନରେ ଯେତେ ଝଡଝଞ୍ଜା,
ଜନ୍ମଜନ୍ମାନ୍ତର ପାଇଁ ତୁମ ହାତଧରି ଚାଲିବାକୁ।
ତୁମ ମନବେଦନାର କାଗଜ ଡଙ୍ଗାକୁ,
ମୋ ଲୁହ ବରଷାଧାରେ ଭସାଇ ଦେବାକୁ।
କିନ୍ତୁ ଆଜି?ତୁମ ଆଖିଲୁହେ ଭିଜା,
ଜୀବନ ଉପନ୍ୟାସର ତୁମର ସେ ଅକୁହା ପୃଷ୍ଠାକୁ,
ପଢିବାକୁ ମୋ ପାଖରେ ସମୟ ତ ନାହିଁ।
ଜୀବନର ଦୋଛକିରେ ତୁମହାତ ଛାଡିଦେଇ,
କାର୍ଯ୍ୟଭାର ଦ୍ଵାହି ଦେଇ,ପୁରୁଷପଣିଆ ଆଳେ,
ଦୁନିଆଁର ସବୁ ବୋଝ,ବାନ୍ଧି ତୁମ ପଣତ କାନିରେ,
ତୁମ ଶାନ୍ତିର ସୀତାକୁ ପଠାଇଛି ବନବାସ।
ଯେମିତିକି ତୁମେ ଏକା ଜନ୍ମ,
ବନବାସ ଦୁଃଖ ସହିବାକୁ।
ପାଷାଣୀ ଅହଲ୍ୟା ପରି ଗୌତମର ଶାପ ଭୋଗିବାକୁ।
ପ୍ରତିଶ୍ରୁତି ଭାଙ୍ଗିଦେଇ ତୁମପାଖେ ମୁଁ ଆଜି ଦୋଷୀ।
ପ୍ରତିଶ୍ରୁତି ନୁହେଁ ଏକ ଅର୍ଥହୀନ ଶବ୍ଦ,
ଦେବାପାଇଁ ବାହାବେଦୀ ପରେ।
ନୁହେଁ ଏହା ଏକ ପାଣିଗାର,
ଲିଭିବାକୁ ପାଣି ଲହରୀରେ।
ପ୍ରତିଶ୍ରୁତି କୈକେୟୀଙ୍କୁ ସେହି ଦୁଇ ବର,
ଯାହାକୁ କି ରକ୍ଷା କରେ ରାଜା ଦଶରଥ,
ନିଜେ ଦେଇ ନିଜ ପ୍ରାଣବଳି।
ପ୍ରତିଶ୍ରୁତି ଭଙ୍ଗ ପାଇଁ ମିଳେ ଯଦି ଦଣ୍ଡ,
ରହିଯିବି ଦୋଷୀ ହୋଇ ସବୁଦିନ ପାଇଁ।
ମୋ କଥା ରଖି ପାରିବିନି!
ଦିଅ ଆଉ ଗୋଟିଏ ମଉକା।
ଏ ଜନମ ପରେ ଯଦି ଥାଏ ଆଉ ଜନ୍ମ,
ସବୁଭୁଲି ଆସ ଯଦି,
ପୁଣି ଥରେ ମୋ ହାତ ଧରି,
ଦେଉଛି ମୁଁ ଆଉ ଏକ ପ୍ରତିଶ୍ରୁତି
ଚଉଦ ବରଷ ଯାଏ ରାମ ପଛେ ଯାଉ ବନବାସ,
ଦଶରଥ ତା କଥା ରଖିବ।
ଆଖିଠାରୁ ଚିବୁକ ପର୍ଯ୍ୟନ୍ତ,
ଶୁଖିଥିବା ତୁମ ଦୁଃଖ ତଟିନୀର ଧାର ,
ସାନ୍ତ୍ଵନାର ପରଶ ପାଇବ।