ଦୀପାବଳୀ ପର୍ବ
ଦୀପାବଳୀ ପର୍ବ
ଦୀପାବଳୀ ପର୍ବ
ଆମ ଏ ଭାରତେ କୁସଂସ୍କାର ଯେତେ
ରହିଛି ପିଲାଏ ଶୁଣ
ଗୋଟିଗୋଟି ଭାବି ବଖାଣ କରିବି
ଦୀପାବଳୀ ପର୍ବ ଗୁଣ ।
କାରଣ ସହିତେ ବୁଝିବା ପରତେ
ଖଟାଇ ନିଜର ମଥା
ଭଲ ମନ୍ଦ କରି ତଉଲିବା ବାରି
କହିବି ଯେତେକ କଥା ।
ବିଜ୍ଞାନ ସମ୍ମତ କାରଣ ଅଛି ତ
ଧରମ କଥାକୁ ଛାଡି
ଯେତେକ ପରବ ଅଛି ସେ ସରବ
ଅବାଟେ ଗଲାଣି ମାଡି ।
ପତଙ୍ଗ ଓ କୀଟ ହୁଅନ୍ତି ପ୍ରକଟ
ବର୍ଷା ଦିନେ ହୋଇ ଜାତ
ବଢନ୍ତି ଜୀବାଣୁ ରୋଗର ଭୂତାଣୁ
ବ୍ୟାପିଯା'ନ୍ତି ଦେହ ହାତ ।
ଶରତ ଆସିଲେ ଖରାକୁ ପାଇଲେ
ମରିଥାନ୍ତି କିଛି ଆପେ
ଦୀପାବଳି ଦିନ କଲେ ଦୀପ ଦାନ
ଝାସ ଦେଇଥାନ୍ତି ତାପେ ।
ବିଜୁଳି ଆଲୋକ ସବୁ ନିରର୍ଥକ
ଯେତେକ ସଜାଉ ଆଜି
ମିଛ ଆଡମ୍ବରେ ଫୁଟାଉ ବିଭୋରେ
ବାଣ ଓ ଆତସବାଜୀ ।
ସରେ ଯେତେ ଧନ ପୂରିଥାନ୍ତା ଅନ୍ନ
ଭୋକିଲା ଉଦରେ କେତେ
ଭାବି ଦେଖ ପିଲେ ବାଣ ଫୁଟାଇଲେ
କ୍ଷତି ହେଉଥାଏ ଯେତେ ।
ଘଟେ ଦୁର୍ଘଟଣା ସବୁ ଜଣାଶୁଣା
ଅଗ୍ନିକାଣ୍ଡ ଚାରି ଆଡେ
ଦେଶର ସମ୍ପତ୍ତି ବଦଳେ ବିପତ୍ତି
ପ୍ରଦୂଷଣେ ଡର ମାଡେ ।
ରୋଗ ଶ୍ବାସଗତ ବଢଇ ବହୁତ
ବୁଢାବୁଢୀ ଶିଶୁ କଷ୍ଟ
ହେଉ ଜାଗରଣ ନ ଫୁଟାଅ ବାଣ
ହେଜିନିଅ ଯେତେ ନଷ୍ଟ ।
ପିଠାପଣା ଖିରି ଖାଅ ମନ ଭରି
ପୂଜିଣ ଭବାନୀ କାଳୀ
ସରବେ ହରଷେ ଦୀପକ ପ୍ରଦୋଷେ
ବିଶ୍ବହିତେ ଦିଅ ଜାଳି ।
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪
ରାଉରକେଲା - ୭୬୯୦୦୨
ଦୂରଭାଷ - ୭୯୭୮୧୯୨୨୨୭
