ଦିବ୍ଯ ପ୍ରେମ
ଦିବ୍ଯ ପ୍ରେମ
ରାଧାକୃଷ୍ଣଙ୍କର ପ୍ରେମରେ ସଂସାର
ଶିକ୍ଷା ପାଇ ବଡ଼ ଖୁସି
କଳକଳ ଯିଏ ସଦା ଝଟକୁଛି
କେବେ ହୋଇବନି ବାସି।୧
ଖୁସି ହେଉଅଛୁ ପାଳନ ସହିତ
ଦୋଳ ପୂନେଇଁରେ ସବୁ
ଏ ଦିବ୍ଯ ପ୍ରେମକୁ କେ'ଭୁଲି ପାରିବ
ଯେ'କରି ଦେଇଛି କାବୁ।୨
ସ୍ବର୍ଗୀୟ ପ୍ରେମତା ଗୋପୀ ଗୋପ ଦାଣ୍ଡ
ଉଚ୍ଛୁଳି ଦିନେ ଉଠିଲା
ଧର୍ମ ଇତିହାସେ ଲିପିବଦ୍ଧ ହୋଇ
ପ୍ରଚାରିତ ହୋଇଗଲା।୩
ଗୋପ ବୃନ୍ଦାବନ ଯମୁନା କଦମ୍ବ
ଏ ଦିବ୍ଯ ପ୍ରେମକୁ ଦେଖି
ଦେହ ମନ ସବୁ ସମର୍ପଣ କରି
ହୋଇଥିଲେ କେତେ ସୁଖୀ।।୪
ଦାଣ୍ଡର ଧୂଳି ବି ଦିବ୍ଯ ଚେତନାରେ
ଅଧିର ହୋଇ ଉଡି଼ଲା
ପାଣି ଓ ପବନ ସ୍ବଚ୍ଛ ନିରିମଳ
କଳକଳ ବହିଗଲା।୫
ବୃକ୍ଷରାଜୀ ସବୁ ସନ୍ତୁଷ୍ଟ ନୟନେ
ଚାହାନ୍ତି ରାଧାକୃଷ୍ଣକୁ
ଦିବ୍ଯତାକୁ ଦେଖି କୃତାର୍ଥ ହୁଅନ୍ତି
ଭୁଲି କି ଭୋକ ଶୋଷକୁ।୬
ସରଗ ମରତ ପାତାଳର ସବୁ
ଦେବଦେବୀ ଯେତେଥିଲେ
ହାତ ଯୋଡି଼ଦେଇ ଏ ଦିବ୍ଯ ପ୍ରେମକୁ
ଆନନ୍ଦରେ ଦେଖୁଥିଲେ।୭
ରାଧାକୃଷ୍ଣ ଦୁହେଁ ସଂସାର ହାଟରେ
ଦିବ୍ଯତା ସଂଯୋଗ ପାଇଁ
ଓହ୍ଲାଇ ଆକାଶୁ ଖେଳାଲୀଳା କଲେ
ସୁପଥେ ନେବାକୁ ବାହି।୮
ଧନ୍ଯ ହୋଇଥିଲେ ସେ'କାଳେ ଜନ୍ମିତ
ନର ପଶୁ ପକ୍ଷୀ କୀଟ
ବିଶାଳ ହୃଦୟ ମନେ ଥାପିଥିଲେ
ନ ଭାବି କି ନିଜେ ଛୋଟ।୯
ପ୍ରେମର ଠାକୁର ରାଧାକୃଷ୍ଣ ପାଇଁ
ଖିଆ ପିଆ ଭୁଲି ଯାଇ
ପ୍ରଣାମ ସହିତ ଧନ୍ଯବାଦ ସହ
ଦେଖୁଥିଲେ ସଦା ଧାଇଁ।୧୦
