ଦି' ଛକିରେ ଜୀବନ
ଦି' ଛକିରେ ଜୀବନ
ଆଶ୍ୱାସନା ମୋତେ ଦେଉଥିଲା ଦିନେ
ନିଶୁନ ରାତିର ଜହ୍ନ
ଚାହୁଁ ଚାହୁଁ ସିଏ ପାଲଟିଲା ଏକ
କଅଁଳ ମଧୁର ମନ ।
ଅମୃତ କଳସ ମଥାରେ ମୋ ରଖି
କେତେ ଶୁଭ ମନାସିଲା
ମୋ ଆଖି ଆଗରେ ନନ୍ଦନ ବନର
ଛବିଟିଏ ଆଙ୍କିଦେଲା ।
ପାରିଜାତ ଫୁଲ ତୋଳିଦେବ କହି
ଧରିନେଲା ହାତ ମୋର
ସରାଗେ କହିଲା ସବୁ ସୁଖ ଶିରୀ
ଦେବ ମୋତେ ଉପହାର ।
ଛଳନାର କଥା ବୁଝି ପାରିଲିନି
ତା ହାତେ ରଖିଲି ହାତ
ଜାଣି ପାରିଲିନି କପଟ ବଚନ
ଭାବିନେଲି ତାକୁ ମିତ ।
ସରଗର ପଥ ଦିଶିଲା ସୁନ୍ଦର
ସେଇଦିଗେ ଗଲି ଚାଲି
ଲକ୍ଷସ୍ଥଳ ମୋର ଘୁଞ୍ଚି ଘୁଞ୍ଚି ଗଲା
ଅଧାବାଟେ ଥକିଗଲି ।
ଅସହାୟ ପଣ ଘାରିଲା ଯେବେଳେ
ପାଖରେ ନଥିଲେ କେହି
ଜହ୍ନ ବି ନଥିଲା ମନ ବି ନଥିଲା
ଚାରିଆଡେ ମରୁଭୂଇଁ ।
ଅଧାବାଟେ ପାଦ ଅଟକିଲା ମୋର
ଆଗେ ପଛେ କେହିନାହିଁ
ଚାଲି ପାରୁନାହିଁ ଆଗକୁ ଆଗକୁ
ପଛେ ଫେରି ପାରୁନାହିଁ ।
ବିଚାର ନକରି ଯାତ୍ରା ଆରମ୍ଭିଲି
ଲକ୍ଷସ୍ଥଳ ଗଲା ହଜି
ଦୋ ଛକିରେ ଆଜି ଜୀବନ ଜୀଉଁଛି
ଆଖି ଲୁହେ ଭିଜି ଭିଜି ।