ଦି' ବୁନ୍ଦା ଲୁହ
ଦି' ବୁନ୍ଦା ଲୁହ
କେତେଡେଳ ବୁନ୍ଦା ବୁନ୍ଦା ଲୁହ
ଝରିପଡେ ଶୁଖିଲା ମାଟିକୁ,
ଆଉ କେତେବେଳେ ତ
ଟପ ଟପ ନିଗିଡି ପଡେ
ମୋ ରିକ୍ତ ହାତ ପାପୁଲିକୁ ।
ପୁଣି କେତେବେଳେ
ବହିଯାଏ ବନ୍ୟା ହୋଇ
ଅୟୁତ ଦିନର ଶୁଖିଲା
ମୋ ଆଖିପତା ତଳେ,
ଆଉ ପିଇ ଯାଏ ଓଠ
ସବୁ ନୀରବତାକୁ ଧୀରେ
ଛାତିରେ ଜାବୁଡି ଏକାନ୍ତରେ ।
କେତେବେଳେ କେଉଁ ଏକ
ନିଛାଟିଆ ବେଳାଭୂଇଁର
ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ
ନାଁ ମୋର ଲେଖୁ ଲେଖୁ
ଜକେଇ ଆସେ ଲୁହ ଦୁଇ ବୁନ୍ଦା ,
କାଳେ କେବେ ଧୋଇଯିବ
ଅବେଳରେ ସମୁଦ୍ରର ପ୍ରଖର ଢେଉରେ ।
ଆଉ କେତେବେଳେ ମୋ ନିବୁଜ ଛାତିରେ
କାରୁକାର୍ଯ୍ୟମୟ କୋଣାର୍କର
ଛବିଟିଏ ଆଙ୍କୁ ଆଙ୍କୁ
ଧସେଇ ପଶିଆସେ କୋହମିଶା ଲୁହ
କାଳେ ମୁଁ ହରାଇ ଦେବି
ମୋ ରକ୍ତର ଅଲିଭା ସ୍ବାକ୍ଷର
ଅବୁଝା ସେ ଧର୍ମପଦକୁ ।
କେବେ କେବେ ଗଭୀର ରାତିରେ
ଇଚ୍ଛା ହୁଏ ଚଢିବାକୁ ଆକାଶକୁ
ମାଗିବସେ ନିଶୁଣୀ ମୁଁ ସମୟକୂ,
ଆଉ କେବେ ବତୁରିଯାଏ ଉଦାସରେ
ଭାଙ୍ଗିଯାଏ ମୋହ,
ଚୁରମାର୍ ହୁଏ ବାଲିଘର
ମାଗିବସେ ଛ' ଖଣ୍ଡ କାଠ
ଶେଷଦୃଶ୍ୟ ନଇଁ ଆସେ ନିଛାଟିଆ ଖରାବେଳେ,
ଲୁହ ବୁନ୍ଦା ବହିଯାଏ ସାଗରକୁ
ମୋ ନିର୍ଜନତାର ସୁଯୋଗ ନେଇ ।
ଲୁହକୁ ଚିହ୍ନିଛି ମୁଁ ମୋ ଏନ୍ତୁଡିଶାଳରୁ ,
କୁଆଁ କୁଆଁ ଡାକରେ ବି ଲୁହ ଥାଏ
ଗୋଡ ଛାଟି କାନ୍ଦୁଥିବା ବେଳେ
କେହି ଜଣେ ଆତ୍ମୀୟଙ୍କୁ
ଆତୁରେ ଖୋଜୁଥିଲା ବେଳେ ।
ଲୁହ ମୁଁ ଦେଖିଛି
ମା' ର ନୀରିହା ଆଖିରେ
ଯେତେବେଳେ ଯାଚିଦିଏ ସେ
ସାଇତି ରଖିଥିବା କେଉଁକାଳୁ
ତା' ଅମୃତର ଭଣ୍ଡାର ବିନା ସର୍ତ୍ତରେ ।
ଆହୁରି ଦେଖିଛି ମୁଁ ଲୁହକୁ
ଦରୋଟି ଶିଶୁର ନିରୀହ ଆଖିରେ
ଯେତେବେଳେ ପାଦ ଥାପେ ଦାଣ୍ଡ ଦୁଆରରେ
ପେଟ ଚାଖଣ୍ଡକ ପାଇଁ
ହାରୁ ହାରୁ ଜିତିବାର ଜୀବନ ଯୁଦ୍ଧରେ ।
ଲୁହ ତ ଏକାନ୍ତ ନିଜର,ଅତି ଆପଣାର
ଢଳ ଢଳ ଶିଶିର ବିନ୍ଦୁରେ ,
ଅବା ସମୁଦ୍ରର ଉତ୍ତାଳ ଢେଉରେ,
ଝଙ୍କାଳିଆ ବରଗଛ ତଳେ ଅବା
ବାହୁଙ୍ଗା ନଥିବା ଆକାଶକୁ
ମୁଣ୍ଡ ଟେକି ଛିଡାହୋଇଥିବା ଡେଙ୍ଗା ତାଳଗଛ ମୂଳେ,
ମୁଁ ଶୁଣିଛି ଲୁହ ର ଗୁଂଜନ
ଦେଖିଛି ମୁଁ ଲୁହର ଅନାବୃତ ରୂପ
କେମିତି ଝଲସୁଥାଏ ତା' ଭିତରେ
ଦି' ବୁନ୍ଦା ଲୁହର ଜୀବନ ।
