STORYMIRROR

Biswanath Nayak

Others

4  

Biswanath Nayak

Others

ଧୂଳିକଣା

ଧୂଳିକଣା

1 min
306

ଗାଆଁ ଦାଣ୍ଡରେ ମୁଁ ପଡ଼ି ରହିଅଛି 

ଛୋଟ ଏକ ଧୂଳିକଣା। 

ମୋ ଉପରେ କେତେ ଆସନ୍ତି ଯାଆନ୍ତି

ସେ ହିସାବ ନାହିଁ ଜଣା। 


ଏତିକି ଜାଣିଛି ସ୍ରଷ୍ଟାଙ୍କ ସୃଷ୍ଟିରେ

ମୁହିଁ ଅଟେ ଅତି ସାନ। 

ସେଥିପାଇଁ ମନେ ନାହିଁ ଅବସୋସ

ନାହିଁ ଦୁଃଖ ଅଭିମାନ। 


ସକାଳୁ ସକାଳୁ ପୂରୁବ ଆକାଶେ

ସିନ୍ଦୂରା ତ ଯେବେ ଫାଟେ। 

ମୋ ବୁକୁରେ ଧୀରେ ଚାଲି ନବବଧୂ

ଯାଏ ପୁଷ୍କରିଣୀ ଘାଟେ। 


ଦେଖେ ମୁହିଁ ନିତି ସୂର୍ଯ୍ୟ ପୂର୍ବେ ଉଇଁ

ପଶ୍ଚିମେ ହୁଅଇ ଅସ୍ତ । 

ମୋ ଉପରେ ଲୋକେ ଯାଆନ୍ତି ଆସନ୍ତି 

ଜୀବନ ଜଞ୍ଜାଳେ ବ୍ୟସ୍ତ। 


ଶୁଭ ଶଙ୍ଖସୁରେ ମୋ ବୁକୁ ଉପରେ

ଯାଏ ଝିଅ ଆସେ ବୋହୂ। 

ଗଢ଼ିବାକୁ ନିଜ ସୁନାର ସଂସାର

ଦୁନିଆର ରୀତି ଏହୁ। 


ପିତା ମାତାଙ୍କର ଚରଣେ ଲାଗିଲେ

ମୋ ଭାଗ୍ୟ ବଦଳିଯାଏ। 

ସେ ଚରଣରଜ ମାଥେ ବୋଳେ ପୁତ୍ର 

ଜୀବନ ତା ଧନ୍ୟ ହୁଏ। 


ଧୂଳିକଣା ଠାରୁ ସୂର୍ଯ୍ୟ ଚନ୍ଦ୍ର ପ୍ରଭୁ!

ସବୁତ ତୁମରି ଦାନ। 

ସବୁଠାରେ ତୁମ ସତ୍ତା ବିରାଜିତ

ବୃଥା ଦେହ-ଅଭିମାନ। 


ନିର୍ଜନ ରାତିରେ ଆକାଶେ ଚାହିଁଲେ

ଅହଂତ୍ଵ ମୋ ଯାଏ ଦୂରେ। 

କି ବିଶାଳ ପ୍ରଭୁ ଏ ସୃଷ୍ଟି ତୁମର

କେତେ କ୍ଷୁଦ୍ର ମୁଁ ତହିଁରେ !


ଧୂଳିକଣାଟିଏ ହେବାପାଇଁ ପ୍ରଭୁ !

ନାହିଁ ମୋର କିଛି ଲାଜ। 

ଏତିକି ମିନତି କରିଦିଅ ମୋତେ

ତୁମରି ଚରଣରଜ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍