ଧୂଳିଗଡ଼ କେନ୍ଦୁଝର
ଧୂଳିଗଡ଼ କେନ୍ଦୁଝର
ମାଆ ତୁମେ କାହିଁକି ମଉନ
ପଚାରୁଛି କଢିଟିଏ ତା ମାଆକୁ କେନ୍ଦୁଝର ମାଟିକୁ...
ମାଆ !
କହିଥିଲ ଫୁଟି ବୁନି
ଖିଲି ଖିଲି ହସିବୁନି
ଧୂଳିର ମାଡ଼ରେ ଅବେଳାରେ
ଝଡି ପଡିବୁନି
ମାଆ ତୁମେ କାହିଁକି ନିରୁତ୍ତର
ପଚାରୁଛି ବସନ୍ତ ଏକାନ୍ତରେ
ତା ମାଆ କୁ କେନ୍ଦୁଝର ମାଟିକୁ...
ମାଆ !
ତୁମେ ପରା କହିଥିଲ
ଭଳି ଭଳି ପତରରେ
ସଜଫୁଟା ଫୁଲ ଓ ଫଳରେ
ସଜାନାଇଁ ଶରୀରକୁ ହଳଦୀ ରଙ୍ଗରେ
କଳା ପଡ଼ିଯିବ ତୋ ଶରୀରଟା
ପ୍ରବଳ ଧୂଆଁରେ
ମାଆ ତୁମେ କାହିଁକି ଶୋକାତୁର
ପଚାରୁଛି ମୃଗଟିଏ
ତା ମାଆ କୁ କେନ୍ଦୁଝର ମାଟିକୁ..
ମାଆ !
ତୁମେ ତ କହିଥିଲ
ରାତି ଏଠି ଦିନପରି
ଯିବୁନି ଯିବୁନି ଧନ
ଗାଡିର ଚକତଳେ ମାତାଲ ମଣିଷ
ତୋତେ ଦେବ ମାରି
ଜାବୁଡି ଧରିଲା ମାଟି ମାଆ କେନ୍ଦୁଝର
ବସନ୍ତକୁ କଢ଼ୀ ଓ ମୃଗକୁ
କହିଲା କୋହ କଣ୍ଠେ
ଚାଲ ଏଠୁ ପଳେଇବା
ଧୂଳିଧୂଆଁ ଭରପୁର
ବାଟ ଆଉଦିଶୁନାହିଁ
ଆଉ କେଉଁ ସହରକୁ ବାଛିନେବା
ଦି ପାହୁଣ୍ଡ ଯାଇଛି
ମାଟି ମାଆ କେନ୍ଦୁଝର
କଢି ମୃଗ ବସନ୍ତକୁ ଧରି
ଦେଖିଛି ତା ପ୍ରିୟ ପୁତ୍ର ମଣିଷଟା
ଧୂଳିଧୂଆଁରେ ଡାକୁଛି ହାତଠାରି
ଆ ମାଆ ତୋ ବୁକୁରେ
ଆଉ ଯାହା ଅଛି
ନେଇଯିବି ସବୁ ଖୋଲିତାଡ଼ି
ଭୟରେ ଥରିଲା ମାଟି
ମାଆ କେନ୍ଦୁଝର
ମୃଗ କଢ଼ି ବସନ୍ତକୁ ଧରିଲା ଜାବୁଡି
କ୍ରନ୍ଦନର ସ୍ୱର ସହ ଧାର ଧାର ଲୁହ
ଝରୁଥିଲା ତା ଆଖିରୁ ନିଗିଡି
