ଧୂଳି ବୋଳା ଶୈଶବ
ଧୂଳି ବୋଳା ଶୈଶବ
ଅବସର ନେଇ ମାତୃ ପଣତରୁ
ନିୟୋଜିତ ହୁଏ ସମାଜ ବୁକୁରେ
କିଛି ସ୍ନେହ ପ୍ରେମ ଅନୁଭୂତି ନେଇ
ନବନିତ ଭାବ ଖୋଜେ ଶୈଶବରେ।
ନବୀନ ସକାଳ ନୂତନତା ବେଳ
ନବ ବନ୍ଧୁଙ୍କର ବିଶ୍ୱାସର ମେଳ
ନିଧୁବନ ନିଭ ପ୍ରାୟ ସେ ସମୟ
ଧୂଳି ବୋଳା ଖେଳେ ଜୟ ଓ ବିଜୟ
କେତେ ଚପଳାମୀ କର୍ମେ ନିରଳସ
କେତେ ଗଢିଥାଉ ମିଛ ବାଲିଘର
ଛୋଟ ବଡ଼ କେତେ ମିଠା ଦୁର୍ଘଟଣା
ସୂର୍ଯ୍ୟ ନଇଁଗଲେ ହୁଏ ଆଲୋଚନା।
କିଛି ସନ୍ଧ୍ୟା କୁହେ ପ୍ରେମ ର କାହାଣୀ
ରୋମାଞ୍ଚିତ ଲାଗେ ଶୁଣି ସେହି ବାଣୀ
କିଛି ସନ୍ଧ୍ୟା କଟେ ଅଣୁ ଗଳ୍ପ ମଧ୍ୟେ
ସାଙ୍ଗ ସାଥି ଙ୍କର କୌତୁହଳ ବାର୍ତ୍ତେ।
ଗୁରୁଙ୍କର ଛାଟ ଚାଟଶାଳୀ ପାଠ
କି ବଖାଣିବି ସେ ସମୟର ନାଟ
ନିବହ କର୍ମରୁ ଶିକ୍ଷା ହିଁ ଉନ୍ନତ
ଅନ୍ୟ ସବୁ ଥାଏ ବିଳମ୍ବେ ଉଚିତ।
ମିଛି ମିଛିକା ମୋ ବୋହୂ ଚୋରି ଖେଳ
ମାଟି ଚୁଲି କରି ଜାଳୁ କେତେ ଜାଳ
ନଡିଆ ସଢେଇ ମାଟିର ବାସନ
କେତେ ରାନ୍ଧିଛି ମୁଁ ଅସିଝା ତିଅଣ ।
ଲୁଚେଇ ଚୋରେଇ ପିନ୍ଧୁ ଆଣି ଲୁଗା
ମାତୃ ସିନ୍ଦୁକରୁ ସିନେହର ସୂତା
କୁନି କୁନି ହାତେ ସାଉଁଟି ଶାଢୀକୁ
କାୟେ ଓଢି ହେଉ ମାତୃ ମମତାକୁ।
କେତେ ଯେ ଭାବନା ସ୍ମୃତିର ଖଜଣା
ଅସରନ୍ତି ତୁଲ୍ୟ ଶୈଶବ ଆବେଗ
ଅବର୍ଣ୍ଣନୀତ କ୍ଷମ ଅଟେ ସେହି ବେଳ
ମନେପଡେ ଯେବେ ସେ ସମୟର ଚଳ।
