ଧରଣୀଟି ଆକାଶକୁ ଚାହିଁ
ଧରଣୀଟି ଆକାଶକୁ ଚାହିଁ
ମଳିନ କୁଞ୍ଚିତ ମୁଖେ
ମାଗୁଥିଲା ଗୋଲାପି ପ୍ରଲେପ
ପାଉଁଶିଆ ଓଠେ ଦେଇ ରଙ୍ଗ
ହସିବାକୁ କରୁଥିଲା ଚେଷ୍ଟା ।
କିନ୍ତୁ ହସରେ ତା ଆଉ
ଫୁଟିଲାନି ମଲ୍ଲୀ କିବା ରକ୍ତଚମ୍ପା
ହତବିମ୍ବ ହୋଇ ଖେଳୁଥିଲା
କୁଞ୍ଚିତ କବରୀ ତାର ।
ତା ଭିତରେ ଦେଖୁଥିଲା
ଶ୍ବେତ କେଶ ମଧ୍ୟେ ମଧ୍ୟେ
ଚମକିତ କରୁଥିଲା
ସତେ ସେ ଯେ
ବିଗତ ଯୌବନା
ଆଉ ସେ ତ ପାରିବନି
ଫେରାଇ ତ ପ୍ରିୟପୁତ୍ର ସ୍ମୃତି ।
ନୂତନ ସୃଷ୍ଟିରେ
ଆଃ ଚିତ୍କାର ଉଠୁଥିଲା
ଅନ୍ତରଟା ତାର
ବ୍ୟାକୁଳିତ ପ୍ରାଣ ତାର ।
ଖୋଜୁଛି ଯାହାକୁ
ତା ବଦଳେ ପାଇଛି ସେ
ଯେତେ ଅଘଟଣ
ଘଣ୍ଟା କଣ୍ଟା ମିନଟ୍ କଣ୍ଟା
ଆଉ ସେକେଣ୍ଡ ବି,
ଯାଉଛନ୍ତି ଚାଲି ।
ଡାକିଲେ ବି ଶୁଣିବାକୁ ତର ନାହିଁ
ସେ ଯେମିତି କହୁଛନ୍ତି
ଆମେ ସବୁ କର୍ମରତ
ବନ୍ଧା ଆମେ ନିୟମ ରଜ୍ଜୁରେ
କାନ୍ଦି କାନ୍ଦି ଢାଲୁଥିଲା ଲୁହ
ଧରଣୀଟି ଆକାଶକୁ ଚାହିଁ ।
