ଧୋକା
ଧୋକା
ମେଞ୍ଚା ମେଞ୍ଚା ଯୌବନର ସୁରଭି,
ଦାନା ବାନ୍ଧୁଥିଲା ବନ୍ଧ୍ୟା ମାଟିରେ ॥
ଆବୁଡା ଖାବୁଡାର କଙ୍କରିତ ମୁକୁଳା ଛାତି,
ମଧୁପାନର ତୃଷ୍ଣାରେ ଅଝଟ ଓଠ,
ଶିଥିଳତାରେ ବିବର୍ଣ୍ଣା ଲଲାଟ,
ଉଦାସ ପଣରେ ବିବଶ,
ଆପାଦ ମସ୍ତକ; ତାଳୁରୁ ତଳିପା ।
ଅସ୍ଥିରତାର କ୍ଷୁଧାର୍ତ୍ତ ଶିହରଣରେ,
ବିରହବନ୍ଦୀ ପୁଲକ ଭଉଁରି ଖେଳୁଛି,
ବୁଭୁକ୍ଷୁର ନିରୂତା ତଣ୍ଟିରେ ॥
ଏକାଗ୍ରତାର ମଧୁଧ୍ୱନି ଥମୁନି ଜମା,
ଅପଲକ ଚାହାଣିରେ ବି,
ଟଣା ହୋଇନି ନୂଆ ବୋହୂର ଓଢଣା,
ଅଭିସାରୀ ଠାଣିରେ,
ଇଶାରା କରୁଛି ମେଘକୁ ଆକାଶକୁ,
ଝୁମା ଝୁମା ବର୍ଷା ଆଉ ମନୋରମା ବିଜୁଳିର,
ସୃଜନ ସ୍ୱପ୍ନକୁ ଆଖିରେ ସାଇତି ।
ଇନ୍ଦ୍ରଧନୁର ସପ୍ତବର୍ଣ୍ଣରେ ଓହଳୁଛି,
ମିଳନର ଆଦିମ ପିପାସା,
ପ୍ରଣୟର ମଧୁଶଯ୍ୟାରେ ବି ଶୁଭୁଛି
ସ୍ପନ୍ଦିତ ହୃଦୟର ଆବେଗିକ ଭାଷା ।
ପ୍ରଗଳ୍ଭତାର ଉଷ୍ମ ଶ୍ୱାସରେ ଝାଉଁଳି ପଡୁଛି,
ବିରାଗର ବେସୁରା ଲାଜକୁଳି ଲତା,
ପ୍ରେମର ଫଲ୍ଗୁ ବୁହାଇ
ନିବିଡତାର ଅଣ୍ଟିରେ ॥
ପରିତୃପ୍ତିର ଶାହାନାଇରେ,
ଗୁଞ୍ଜରି ଉଠୁଥିଲା ପ୍ରୀତିର ରାଗିଣୀ,
ସମ୍ଭାବ୍ୟ ମାତୃତ୍ୱର ଉନ୍ମାଦନାରେ...,
ରାହା ଧରୁଥିଲା କ୍ଳାନ୍ତ ଅବସନ୍ନ ବୁକୁରେ,
ପୁଣ୍ୟାନୁଭବର ଗେଲବସରିଆ ସୃଷ୍ଟି ଆଡକୁ,
ପ୍ରତିପଦାର ଜହ୍ନ ଆକାରରେ ।
ବନ୍ଧ୍ୟାତ୍ୱର ନାକଟେକା,
ଛି ଛିକାର, ଟାଙ୍ଗରା ତିତିକ୍ଷାରେ,
ଅନୁରାଗର ଅମୃତ ସୃଷ୍ଟି ଡିଆଁ ମାରୁଛି,
ସ୍ୱପ୍ନର ଆଭରଣ ଫିଟାଇ ଜାଗତିକ ଦୁନିଆଁରେ,
ନାମ ପଞ୍ଜିକରଣ ଲାଗି ।
ହଳଦୀ ବର୍ଣ୍ଣର ସ୍ୱର୍ଣ୍ଣାଭ ଆଭାରେ ସଜେଇ,
ସୋରିଷ ଫୁଲର ପରିଚୟ ନେଇ,
ପାହାଡି ମା'ର ଗଣ୍ଠିରେ ॥
ସ୍ୱପ୍ନରେ ଗୁନ୍ଥି ହେଲା ଇନ୍ଦ୍ରାଣୀ
ଝରିଲା ବର୍ଷା ; ଚମକିଲା ବିଜୁଳି,
କିନ୍ତୁ ବେପରୂଆ,ଆଶାଳୀନ,ଲଗାମଛଡା,
ଗୋଲାପି ପ୍ରେମକୁ ଢାଙ୍କିଦେଲା,
ପ୍ରବଞ୍ଚନାର ଧୂସର ବେଢା ।
ଈର୍ଷ୍ୟାନ୍ୱିତ ହୋଇ ଫୁଲାଇଲା ପାହାଡି କନ୍ୟା,
ନିଜର ଅସଂଯତ ଛାତିକୁ,ବିବସ୍ତ୍ର ଦେହରେ,
ପ୍ରଥମ ଗର୍ଭ ସମ୍ଭାଳୁଥିବା,
ସୋରିଷ କ୍ଷେତକୁ ଦେଖି ।
ବନ୍ୟାର ଉଜାଣି ସୂଅ ଧୋଇ ନେଇଗଲା,
ହାତ ଠାରି ଡାକୁଥିବା ମନର ଆକ୍ଷାଂକାକୁ,
ଅଙ୍ଗୁରୋଦ୍ ଗମ ହେଉଥିବା କ୍ଷେତର ବୀଜ ସମୂହକୁ,
ପ୍ରଚଳିତ ଧାରାରେ ପଡି,ସବୁଥର ପରି
ବାଞ୍ଛିତ ମାତୃତ୍ୱର ସ୍ୱପ୍ନରେ ପୁଣି ଲେପିଲା
ବନ୍ଧ୍ୟାର ପ୍ରଲେପ,ଅବାଞ୍ଛିତ ଭ୍ରୂଣ ହତ୍ୟାକାରୀ ।
କ୍ଷୋଭରେ ଲୁଚାଇଲା ମୁହଁ,
ଅମାବାସ୍ୟାର ଚନ୍ଦ୍ର ସାଜି,
ମାତୃତ୍ୱକୁ ଝୁଲାଇ,
ମରିଚୀକାର ଖୁଣ୍ଟିରେ ॥
ହିତେନ୍ଦ୍ର ନାଥ ମହାନ୍ତ
#######################
