ଧନ୍ୟ ହୋଇବ ଜୀବନ
ଧନ୍ୟ ହୋଇବ ଜୀବନ
କେତେ ଜନ୍ମରୁ ଆଶା ବାନ୍ଧିଥିଲି
ଦେଖିବି ଜଗାର ଯାତ
ପାପନେତ୍ର ମୋର ମୋକ୍ଷ ତ ହୋଇବ
ଦେଖି କାଳିଆ ମୁହଁ ତ।
ବାଇଶି ପାହାଚରେ ନାଚିନାଚି ଜଗା
ଆସିବ ସ୍ନାନ ମଣ୍ଡପ
ସୁନା କୂଅ ଜଳ ଧୋଇବା ଶ୍ରୀଅଙ୍ଗ
ଦେଖିଲେ ଧୋଇବା ପାପ।
ଓଁକାରେ କମ୍ପୁଛି ବେଦଧ୍ବନି ସ୍ବର
ଜ୍ଯେଷ୍ଠମାସ ଶୁକ୍ଳ ପକ୍ଷେ
ପୂର୍ଣ୍ଣିମା ର ତିଥି ଚତୁର୍ଦ୍ଧା ମୂରତି
ମଣ୍ଡପେ ଜଗତ ଦେଖେ।
ଶହେଆଠ କଳସୀ ଜଳରେ ଗାଧାନ୍ତି
ସେହି ଜଗତର ନାଥ
ଭକ୍ତ ଜନକଙ୍କ ଭିଡ଼ ଲାଗିଥାଏ
ଦେଖିବାକୁ ତାର ଯାତ।
ଭଶୀର,ଅଷ୍ଟବନ୍ଧ। ସୋମପର୍ଣ୍ଣି,ସଂଚିଷ୍ଠା
ଗୋରଚନ, ଦେବଦାରୁ
ମୁଥା,ହରିତାଳ,। ଆମକଳୀ,ଲୋଧା
ତାମ୍ରପର୍ଣ୍ଣା, କୃଷ୍ଣ ଅଗୁରୁ।
ଜଳରେ ମିଶ୍ରିତ ମହୋଷୋଧି ସର୍ବ
ଅଭିମନ୍ତ୍ରିତ ତ ହୁଏ
ଦାରୁବ୍ରହ୍ମ ଶ୍ରୀଜୀଉ ଅବଗାହ କରି
ମାନବକୁ ଶିକ୍ଷା ଦିଏ।
ସେହି ସୂନାକୂଅ ଧନ୍ୟ ତ ମଣିଛି
ଅଲୋଡା ହୋଇ ସେ ଥିଲା
ତୋର ସ୍ନାନ ପାଇଁ ଲୋଡା ହେଲା ସିଏ
ତାଭାଗ୍ଯ କାହାର ହେଲା।
ବଡ଼ଦାଣ୍ଡ ବାଲି ଗର୍ବରେ ଫୁଲୁଛି
ତୋ ପାଦ ପଡ଼ିଲା ବୋଲି
ସବୁ ପାପ ତାର ଧୋଇ ହୋଇଗଲା
ହେଲା ତୋ ଚରଣ ଧୂଳି।
ରତ୍ନସିଂହାସନୁ ଓହ୍ଲାଇ ଆସିଲେ
ସର୍ବେ ଦେବେ ଦରଶନ
ମୋକ୍ଷ ତ ପାଇବେ କୀଟୁ ବ୍ରହ୍ମଯାଏଁ
ଧନ୍ୟ ହୋଇବ ଜୀବନ।