ଧନୀ ଓ ଗରିବ
ଧନୀ ଓ ଗରିବ
ଏଇ ଦୁନିଆରେ ସେତେ ବଡ ସିଏ
ଯାହା ପାଖେ ଧନ ବେଶୀ,
ଧନ ଏ ଯୁଗରେ ହୋଇଅଛି ପରା
ମଣିଷର ମାପକାଠି |
ଧନ ବଳେ ଜଣେ ଲଭିପାରେ ମାନ
ସନମାନ ଦୁନିଆରେ,
ଧନ ନାହିଁ ଯାର ଉଚ୍ଚ ସ୍ଥାନ ପାଇଁ
କିଏ ବା ତାକୁ ପଚାରେ ?
ଧନୀର ପୋଷାକ ଆଦବକାଇଦା
ସବୁର ଢ଼ଙ୍ଗ ନିଆରା,
ଅଳପ ଧନ ଯା ପାଶେଅଛି ସିଏ
ହୁଏସିନା ବେସାହାରା |
ଗୁଣ ନଥାଇ ବି ଗୁଣୀ ଜନେ ଗଣା
ହୁଏ ଜଣେ ଧନ ବଳେ,
ଗୁଣ ଥାଇ ମଧ୍ୟ ଧନ ଅଭାବରୁ
ସେ ସ୍ଥାନ ପାଇ ନପାରେ |
ଧନର ପାହାଡେ ଛିଡା ହେଲେ ତାକୁ
ପୃଥିବୀଟା ଦିଶେ ସାନ,
ଗରୀବକୁ ସିଏ ଖାତିର କରେନା
କରେ ତାକୁ ହୀନିମାନ |
ଧନୀ ହୋଇ ଜଣେ ବୁଝିପାରେ ଯଦି
ଗରୀବର ପେଟ କଥା,
ବୁଝିପାରେ ଯଦି ଗରୀବ ଅଭାବ
ଗରୀବ ମନର ବ୍ୟଥା |
ସେହି ସିନା ଏକା ମଣିଷ ବୋଲାଏ
ମହତ ଜନଟି ସିଏ,
ଗରୀବର ଦୁଃଖ ନ ବୁଝିବ ଯିଏ
ତାକୁ ପଚାରିବ କିଏ ?
