ଧୋକା - ପ୍ରେରଣା
ଧୋକା - ପ୍ରେରଣା
ଧୋକା ଶବ୍ଦ ବଡ ଭୟଙ୍କର
ଥାଉ ଯେତେ ପଛେ ଅତୁଟ ବିଶ୍ଵାସ
ଆପଣାକୁ କରେ ପର ।।
ଧୋକା ଅଟେ ତିକ୍ତ, ଅଟେ ପିତା
ଉତ୍ତଳ ସାଗର ସଂପର୍କ ଜୁଆର
ପକାଇ ଦିଏ ଭଟ୍ଟା ।।
ଶବ୍ଦ ସେ ପ୍ରଳୟଠୁ ପ୍ରଖର
ପଶିଗଲେ ଥରେ ମଣିଷ ଭିତରେ
ଛିଣ୍ଡାଏ ସଂପର୍କ ଡୋର ।।
ବ୍ୟାଧି ଠାରୁ ବଡ ଯାତନା ଦାୟକ
ଜହରଠୁ ହଳାହଳ
ଧୋକା ଅଟେ ମହାକାଳ ଫଳ ।।
ଧୋକା ନଆସେ କେବେ ଏକା
ମିଛ,ପ୍ରତାରଣା,ଶଠତା,ଛଳନା
ସଦା ତାର ସାଙ୍ଗ,ସଖା ।।
ବୁଦ୍ଧି,ବିବେକ ଶୂନ୍ୟ ହୋଇ ଯାଏ
ମଣିଷତ୍ବ ଯାଏ ହଜି
କି ଲାଭ ମିଳିବ ପାରେ ନାହିଁ ଜମା ବୁଝି ।।
ବିଶ୍ଵାସ,ଭରସା ବନ୍ଧା ଦେଇ
ଧୋକା ସିନା ଜିତେ ଥରେ
ଜୀବନ ଯୁଦ୍ଧରେ ଏକା ପଡିଯାଏ
କେହି ନଥାଏ ପାଖରେ ।।
ଧୋକା ଖାଇ କିଏ ହାରିଯାଏ
କିଏ ଝୁଣ୍ଟି ଚାଲୁଥାଏ
ଜୀବନକୁ କଣ୍ଟା ପଥରେ ଚଲାଇ
ବଞ୍ଚିବା ଶିଖାଇ ଦିଏ ।।
ପଢ ରାମାୟଣ କି ମହାଭାରତ
ପୁରି ରହିଅଛି ଧୋକା
ଧୋକାବାଜର ସମାପ୍ତ ନିଶ୍ଚିତ
ମିଳିଥାଏ ନୀତି ଶିକ୍ଷା ।।
ଧୋକାରେ ଜୀବନ ସମାପ୍ତ ହୁଏନି
ମୋଡ ତ ବଦଳି ଯାଏ
ଧୋକା ସବୁବେଳେ ଅଭିଶାପ ନୁହଁ
କେବେ ଆଶୀର୍ବାଦ ହୋଇଥାଏ ।।
ଧୋକାକୁ ଭାବନି ପ୍ରତାରଣା ବୋଲି
ମିଳିଥାଏ ତ ପ୍ରେରଣା
ପାହାଚ ଚଢିବା ତା ଉପର ଦେଇ
ହେବାନାହିଁ ବାଟ ବଣା ।।
ସୁଶ୍ରୀ ସାହୁ
ଶିଲଂଗ ,ମେଘାଳୟ