ଶ୍ରେଷ୍ଠ ସ୍ରଷ୍ଟା
ଶ୍ରେଷ୍ଠ ସ୍ରଷ୍ଟା
ଆଖି ପଲକରୁ ହୃଦସ୍ପନ୍ଦନରୁ
ନିସୃତ ଝଙ୍କାର ଝରେ,
ଜୀବନ ବୀଣାକୁ ବାପା ତୁମେ ଦିନେ
ଯୋଖିଥିଲ ଯତନରେ ||
ଭାସ୍କରଙ୍କ ତେଜ ଅଛି ତ ତୁମଠି
ଅନ୍ଧାରକୁ ଦୂର କଲ,
ଆଲୋକମାଳାରେ ଆମ ଜୀବନକୁ
ପଂକ୍ତିରେ ସଜାଇ ଦେଲ ||
ଆଖି ଖୋଲି ଯେତେ ସପନ ଦେଖିଲ
ସବୁ ଥିଲା ଆମ ପାଇଁ
ବିତେ ରାତିଦିନ ପ୍ରତିଟି ମୂହୁର୍ତ୍ତ
ଉଡା ଶିଖାଇବା ପାଇଁ ||
ହାତ ଧରି ବାପା ଚାଲି ଶିଖାଇଲ
ପଥ କୁସୁମିତ କରି
କେଉଁ ପୂଣ୍ୟ କର୍ମ ଫଳ ମିଳିଅଛି
ପୂଣ୍ୟ ମୋ ନ ଯାଉ ସରି ||
ବାପା ଅଟ ତୁମେ ଅଟ ମୋର ଗୁରୁ
ନିଆରା ସଂପର୍କ ଆମ
ତୁମ ହାତ ଧରି ବିଦ୍ୟାଳୟ ମୁହିଁ
ଯାଉଥିଲି ପ୍ରତିଦିନ ||
ଆଜିବି ବାପା ମୋହର ପାଦ ଚିହ୍ନ
ତୁମ ସ୍ମୃତି ବକ୍ଷେ ଅଛି
ଶୈଶବ ବେଳରେ କେତେ କୁଦି ଥିଲି
ମନେ ନାହିଁ ମୋର କିଛି ||
ନିଦ ନଲାଗିଲେ କେତେ ଗପ କୁହ
ମୋତେ ଶୁଆଇବା ପାଇଁ
ଅନ୍ଧାର ଘୁଘୁଡ଼ି ଗପ ଶୁଣି ବାପା
କେତେ ଡରି ଯାଏ ମୁହିଁ ||
କୁଣ୍ଢାଇ ତୁମକୁ ମୋ କୁନି ହାତରେ
ମୁହଁକୁ ଲୁଚାଇ ଦିଏ
ତୁମ ଆଲିଙ୍ଗନ ହାତ ଥାପୁଡାରେ
ଆଶ୍ବାସନା ପାଇ ଥାଏ ||
ଗୋଟିଏ ଥାଳିରେ ତୁମ ସାଥେ ବାପା
ଖାଇବାକୁ ଯେବେ ବସେ
ତୁମରି ଓଠରୁ ତୃପ୍ତିର ଆଭାସେ
ମନ୍ଦ ମନ୍ଦ ହସ ଭାସେ ||
ଚାମଚକୁ ଧରି ଲେମ୍ବୁଚିନି ପାଣି
ଏବେ ଯଦି ମୁହିଁ ପିଏ
ଛପିଛପି ଦେଖି ତୁମେ ହସୁ ଥାଅ
ମିଛରେ ମୁଁ ରୁଷିଯାଏ ||
ଅଙ୍କ କଷାବେଳେ କେତେ ଯୁକ୍ତିତର୍କ
ଆମରି ଭିତରେ ହୁଏ
ତୁମେ ଭୁଲ୍ ଆଉ ମୁହିଁ ଠିକ୍ ବୋଲି
କେତେ ଜିଦ୍ କରିଥାଏ ||
ଅତି ଯତନରେ ସୁକୋମଳ ସ୍ବରରେ
ଆଉଁସି ବୁଝାଇ ଥାଅ
ବୁଝିଗଲା ପରେ ଖୁସିରେ ମୁଁ ନାଚେ
ବାପା ପରି କେହି ନୁହଁ ||
ଶିଷ୍ଟ,ବିନୟ,ସଂସ୍କାର ଆଭୁଷଣେ
ଆମକୁ ମଣ୍ଡିତ କଲ
ହୀରା,ନୀଳା,ମୋତି ତା' ଆଗରେ ତୁଚ୍ଛ
ହେବ ନାହିଁ ତାର ତୁଲ ||
ଥାଉ ବାପା ପଛେ ଶତ ଦୁଃଖକଷ୍ଟ
ତୁମ ଆଶ୍ରୁ ଦେଖି ନାହିଁ
କନ୍ୟା ବିଦା ବେଳେ ବୋଲ ମାନିଲାନି
କୋହ ସବୁ ଗଲା ବୋହି ||
ଝଡ଼ ଓ ବତାସ ଯେତେ ପଛେ ଆସୁ
ବାଧା ତୁମେ ତାକୁ ଦିଅ
ଆମଠି ତାହାର ଆଭାସ ପଡେନି
ସନ୍ତାନ ତୁମରି ପ୍ରିୟ ||
ସୃଷ୍ଟି ସଂରଞ୍ଚନା ପାଇଁ ବାୟୁ, ପାଣି
ତା' ବିନା କି ତିଷ୍ଟେ କିଛି
ବିଶ୍ବନିୟନ୍ତାଙ୍କ ଆଶିଷ ଲଭିଛୁ
ସେ ତୁମକୁ ବାଛି ଅଛି ||