STORYMIRROR

SUSRI SAHOO

Others

2  

SUSRI SAHOO

Others

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
509


ଧରା-ବସୁନ୍ଧରା ରଙ୍ଗ ମଞ୍ଚ ଏଠି
ଆମେ ସବୁ କଳାକାର
କର୍ମ ଅନୁସାରେ ଅଭିନୟ ମିଳେ
କର୍ମ ଟି ଜୀବନେ ସାର ||

ନଶ୍ବର ଶରୀରେ ନିଶ୍ବାସ ଜୀବର
ଯେବେ ଯାଏ ଧାଉଁ ଥାଏ
ମୋହରମୋହର କହି ହେଉ ଥାଇ
ହୃଦ ସ୍ପନ୍ଦନ ବଢାଏ ||

ବେଳ ବୈତରଣୀ ଜୀବନ ତରଣୀ
ସୋପାନ ସୋପାନ ଚଢେ
ପାଦ ଟଳମଳ ହେଉବା ସଅଳ
ସମ୍ଭାଳି ସମ୍ଭାଳି ବଢେ ||

ବାଲ୍ୟ ଚପଳତା ନିଷ୍ପାପ ଜୀବନ
ନବୁଝେ ଆପଣା ପର
କୈଶୋର ଜୀବନେ ସାଙ୍ଗ ସାଥି ମେଳେ
ଜୀବନଟି କି ସୁନ୍ଦର ¡

ଯୌବନ ଆସିଲେ ସପନ ଦେଖଇ
ପଙ୍ଗୁ ଲଙ୍ଘି ଯିବ ଗିରି
ଦୁନିଆଟା ମୋ'ର ମୁଁ ନୁହେଁ ମାତର
କିଏ ହେବ ମୋର ସରି ?

ବୟସ ବଢିଲେ ଲୋଭ ଗ୍ରାସ କରେ
ତୋଳିବି ସୁବଣ୍ଣ ସୈଧ
ଭାବେ ନାହିଁ ଥରେ ଧନ ସାଥି ନୁହେଁ
ଧର୍ମ ମୋତେ ସ୍ବର୍ଗ ନେବ||

ବୃଦ୍ଧ କାଳ ଯେବେ ହୁଏ ଉପନୀତ
ବଞ୍ଚିବାର ମୋହ ଗ୍ରାସେ
‍ ଜ୍ଞାତ ଥାଏ ତାର ଅମର ନୁହେଁ ସେ
ମୋହମାୟା ବାନ୍ଧେ ପାଶେ ||

ଜରା କାଳ ଯେବେ ଘେନେଇ ଆସଇ
ଜୀର୍ଣ୍ଣ ହୁଅଇ ଶରୀର
କ୍ଷୁର୍ଣ୍ଣ ଶରୀରରେ ଲୋଭର ଆଶରା
ମାୟା ମୋହର ସଂସାର ||

ମୃତ୍ୟୁ କାଳ ଯେବେ ପାଖେଇ ଆସଇ
ସଂସାର ମୋହ ଅତୁଟ
ଯିବି ନାହିଁ ବୋଲି ମନ ଚାହୁଁ ଥାଇ
ଆତ୍ମା ଛାଡି ଦିଏ ଘଟ ||

ଜଠ ଠାରୁ ଜୁଇ ସମୟ ଅନ୍ତର
ମାତୃ ଗର୍ଭୁ ମାଟି ଯାଏ
ଅଳପ ସମୟ ଉତ୍ତମ ଚିନ୍ତନ
ମୋକ୍ଷ ପ୍ରାପ୍ତି କରି ଥାଏ ||

ଜନ୍ମ ମୃତ୍ୟୁ ଖେଳ ନୁହଇ କେବଳ
ସଂସାର ବିଦାୟ ବେଳ
ଘଟ ଘଟାନ୍ତର ହୁଅଇ ଜୀବର
କୃତ କରମର ଫଳ ||


ସୁଶ୍ରୀ ସାହୁ

ମେଘାଳୟ


Rate this content
Log in