ଧାରା ତୁମେ
ଧାରା ତୁମେ
ଧାରା...ତୁମେ....
ଅବିରତ , ଆକାଂକ୍ଷିତ , ତୃଷ୍ଣା ବିତୃଷ୍ନାର ପ୍ରବାହିତ ସ୍ରୋତ,
ଜଞ୍ଜାଳରେ ଜର୍ଜରିତ , ଯୌବନର ଯାମିନୀରେ ଉଦ୍ଭାସିତ ପ୍ରେତ।
କାମନାର କରାଳ କାମାଗ୍ନୀରେ , କ୍ରୁରତାର କୁଠାରଘାତରେ ନିଷ୍ପେସିତ କ୍ଷତ ।୧
ଧାରା.... ତୁମେ....
କେବେ ଗୋଧୂଳିର ସମୀରଣରେ ତରଙ୍ଗାୟିତ ବାସ୍ନା,
କେବେ ତୁମେ ଚାନ୍ଦିନୀ ରାତିରେ ଜ୍ୟୋସ୍ନା ଭିଜା ଭିଜା ସ୍ୱପ୍ନ,
ଧାରା ତୁମେ ଝରାଫୁଲ, ଝରିଯାଇ ଝୁମି ଝୁମି ଚୁମି ଦିଅ ଭୂମି,
ପୁଣି ସାଜ ଅଣଡକା ପ୍ରଳୟ ସୃଷ୍ଟିକାରୀ ଅଧର୍ଯ୍ୟ ମୋୖସୁମୀ।୨
ଧାରା.. ତୁମେ...
କେବେ ବିଲ ବଣ ଘେରା କୃଷକର ମନ ମତାଣିଆ ରାଗ,
କେବେ ଲାଗ ସୁହାଗିନି ସୌନ୍ଦର୍ଯ୍ୟର ବର୍ଣ୍ଣନାରେ ସିନ୍ଦୂରର ଯାଗ,
ଗଣିକ ର ଗନ୍ତାଘରେ ଅଦୃଶ୍ୟ ଅସ୍ପଷ୍ଟ, ଉଙ୍କିମରା ସ୍ୱପ୍ନ ସୌଦାଗର,
କେବେ ଧାରା ବୋଲକରା ବଉଳ ବେଣୀର ଛଳେ ଇଛବୀ କୁମାର।୩
ଧାରା.. ତୁମେ...
ଲୋମହର୍ଷଣକାରୀ ଆଗନ୍ତୁକର କାଳ୍ପନିକ କଳ୍ପିତ ବର୍ଣ୍ଣନାର ପେଡ଼ି,
କେବେ ଧାରା ଉନ୍ମୋଚିତ ସତ୍ୟ ଶିବ ସୁନ୍ଦର , ସତ୍ୟତାର କଢ଼ି,
ଧାରା ତୁମେ, ଧାରଣାରେ ଧୈର୍ଯ୍ୟ ଧରା ଧିଶକ୍ତି ଧାରଣକାରୀ,
କେବେ ପୁଣି କୁଆଁରୀ ଲାଜରେ କନକନ କୋମଳାୟିତ ପୂର୍ଣ୍ଣାଙ୍ଗ କୁମାରୀ।୪
ଧାରା ତୁମେ...
ବର୍ଣ୍ଣନାରେ ବର୍ଣ୍ଣିତ ,ସଜାୟିତ ସୌନ୍ଦର୍ଯ୍ୟର ସୌହାର୍ଦ୍ଦ୍ୟପୂର୍ଣ୍ଣ ଗପ,
ପୁଣି ତୁମେ. ଦଳିତ, ନିଷ୍ପେସିତ, ଦରମରାର ଦାରୁଣ ଦୟନୀୟ ରୂପ,
କି ବର୍ଣ୍ଣିବି ଧାରା କିଏ , ନାହିଁ ମୋର ଗୁଣ ,ଜ୍ଞାନ ଗାମ୍ଭୀର୍ଯ୍ୟ ଉଦାରତା,
ଧାରା ତୁମେ ପ୍ରବାହିତ, ପ୍ରକୃତିର ଅସୀମ, ପୂଜନୀୟ ପୂର୍ଣ୍ଣତା.... ବିଜୟ।।୫।।
