ଦଗ୍ଧ ଉପବନ
ଦଗ୍ଧ ଉପବନ
ଶାନ୍ତ ଗୋଧୂଳିର ସ୍ନିଗ୍ଧ ତପୋବନ
ମୁଗ୍ଧ ମୂର୍ଚ୍ଛନାରେ ହଜେ
ଭଗ୍ନ ହୃଦୟ ମୋ ବିହ୍ବଳିତ ନେତ୍ର
ଝରା ଶ୍ରାବଣରେ ଭିଜେ ।।
ବିଜନ ବେଳାରେ ସାଗର କୂଳରେ
ବେଳାଭୂଇଁ ଗାଏ ଗୀତ
ଦିଗହଜା ମୋର ଜୀବନ ବୋଇତ
ଲାଗେ ଅବିରତ କ୍ଳାନ୍ତ ।।
ଛନ୍ଦହରା ଲାଗେ ଜୀବନ ସଙ୍ଗୀତ
ଲୁଚି ଯାଏ ରୂପାଜହ୍ନ
ମୃଦୁ ସମୀରଣ ଦଗ୍ଧ ଉପବନେ
ଖୋଜେ ସିକ୍ତ ପାଦଚିହ୍ନ ।।
ଘନ କୁହୁଡିର ବହଳ ଅନ୍ଧାରେ
ଅଦୃଶ୍ୟ ମୋ ଭାବାବେଗ
କାଚଘର ମୋର ଭାଙ୍ଗିଯାଏ ଧୀରେ
ବିଶ୍ବାସର ଯେତେ ସ୍ତର ।।
ପ୍ରଣୟର ଛନ୍ଦେ ପ୍ରୀତିର ସୁଗନ୍ଧେ
ଫଗୁଣ ଯେବେ ଆସେ
ସୁପ୍ତ ଚେତନାର ଅବରୁଦ୍ଧ ଦ୍ବାରେ
ମଳୟ ଧସେଇ ପଶେ ।।
ପଲ୍ଲବିତ ହୁଏ ପ୍ରୀତି କୁଂଜବନ
ହସେ ଧୀରେ ଘାସଫୁଲ
ଚନ୍ଦନ ବନରୁ ଝରେ ପାରିଜାତ
ଜଳେ ମୁକ୍ତିର ମଶାଲ ।।
ବାଜେ ଧୀରେ ଧୀରେ ଯୁଦ୍ଧର ଦୁନ୍ଦୁଭି
ଜୀବନର ପାଞ୍ଚଜନ୍ୟ
ମହମହ ବାସେ ଅଗରୁ ଚନ୍ଦନ
ରୋମାଞ୍ଚିତ ଯଉବନ ।।
