ଦଗ୍ଧ ବୈଶାଖ
ଦଗ୍ଧ ବୈଶାଖ
ସମୟ ର ଚକ ଘୂରେ ଅବିରତ
ତା ସଙ୍ଗେ ବଦଳେ ବରଷ ମାସ,
ଏକ ପରେ ଏକ ଋତୁର ପ୍ରଭାବ
ଜୀବନ କୁ କରିଦିଏ ସରସ ।।
ଶରତ ର ଶୋଭା ଅତି ମନଲୋଭା
ପାର୍ବଣ ର ଋତୁ ଆମୋଦ ଦାୟି,
ହେମନ୍ତ ଅନ୍ତରେ ଶୀତ ର ପ୍ରବେଶ
ଥୁରୁ ଥୁରୁ ହୋଇ କମ୍ପଇ ମହୀ ।।
ଶୀତ ଅନ୍ତେ ଯେବେ ବସନ୍ତ ଆସଇ
ରଙ୍ଗ ରେ ସୁନ୍ଦର ଭୂମି ଠୁ ଭୂମା,
କବି ଲେଖକଙ୍କ ଭାବନାରେ ଭାବ
ଅନୁପମ ବସନ୍ତର ଉପମା ।।
ଧୀରେ ଧୀରେ ରଙ୍ଗ ହୁଅଇ ବେରଙ୍ଗ
ଗ୍ରୀଷ୍ମ ଯେବେ କରେ ଧରା ସ୍ପରଶ,
ଭାସ୍କର ଙ୍କ କର ହୁଅଇ ପ୍ରଖର
ଧରଣୀ ରୁ ଶୋଷି ନିଅନ୍ତି ରସ ।।
ଦିନ ବଢ଼ି ବଢ଼ି ସୁଦୀର୍ଘ ହୁଅଇ
ରଜନୀ ର ଆୟୁ ହୁଅଇ କ୍ଷୀଣ,
ଅଗ୍ନି ପିଣ୍ଡ ପରି ଜଳନ୍ତି ତପନ
ବିପର୍ଯ୍ୟସ୍ତ ହୁଏ ଜନ ଜୀବନ ।।
ବୈଶାଖ ରେ ବହି କାଳ ବଇଶାଖୀ
ଜୀବ ଜଗତ କୁ କରେ ଅଥୟ,
ଅଂଶୁମାଳି ଙ୍କର ପ୍ରଚଣ୍ଡ ଅଂଶୁରେ
ରହିଥାଏ ଅଂଶୁଘାତର ଭୟ ।।
ଗରମ ଜିନିଷ ପାଟିକୁ ଅରୁଚି
ଦହି ପଖାଳ କୁ ଖୋଜଇ ମନ,
କାକୁଡି ପଣସ ଆମ୍ବ ତରଭୁଜ
ଖାଇ ମନ ହୁଏ ଭାରି ପ୍ରସନ୍ନ ।।
ବନେ ବନ ଅଗ୍ନି ମାଡ଼ି ମାଡ଼ି ଯାଇ
ଦଗ୍ଧୀଭୁତ କରେ ଚାରୁ ସୁଷମା,
ବଣ୍ଯ ଜୀବ ଙ୍କର ଦୁର୍ଦ୍ଦଶା ବଢଇ
ଜଳ କଷ୍ଟର ନ ରହଇ ସୀମା ।।
ଦଗ୍ଧ ବୈଶାଖ ରେ ଦଗ୍ଧୀଭୁତ ଧରା
ଜ୍ୟେଷ୍ଠ ରେ ପବନେ ବର୍ଷଇ ଅଗ୍ନି,
ଅତି ଆକୁଳ ରେ ପାଣି ଟୋପେ ପାଇଁ
ଆଷାଢ଼ କୁ ଚାହିଁ ରହେ ଧରଣୀ ।।
