ଦେବଶିଶୁ
ଦେବଶିଶୁ
ପୁଷ୍ପର ଗର୍ଭକେଶରରେ
ସମ୍ଭାବନାର ବୀଜଟିଏ
ଦାନା ବାନ୍ଧିଲା ବେଳେ
ବୀଜ କେବେ ଜାଣେନା
ପୁଷ୍ପଟି କୀଟଦ୍ରଂଷ୍ଟ
ଅବା ଭ୍ରମର ଦଂଶିତ
କିମ୍ବା ପ୍ରତିଶ୍ରୁତି ଟିଏ ପ୍ରଗାଢ ଅନୁରକ୍ତିର ,
ସିଏତ ସବୁବେଳେ
ସବୁଜ ସ୍ୱାକ୍ଷର ଟିଏ
ସମୁଜ୍ଜ୍ଵଳ ଭବିଷ୍ୟତର ।
ନାରୀତ୍ବ ଶାମୁକାର
ଅମୃତ ଗର୍ଭକୋଷ ରେ
ପ୍ରତ୍ୟାଶା ରହିତ ମୁକ୍ତାଟିଏ
ଦିବ୍ୟ ଆନନ୍ଦରେ
ସୃଷ୍ଟିର ପରମ ମୁହୂର୍ତ୍ତ କୁ
ଅପେକ୍ଷା କରି
ଦିନ ଗଣୁଥାଏ ,
ପବିତ୍ର ଆତ୍ମାଟିଏର
ନବ କଳେବର ରେ
ପ୍ରାଣ ପ୍ରତିଷ୍ଠା ହେବା ପାଇଁ
ଅନେକ ଆୟୋଜନ
ନୀରବରେ ସମ୍ପାଦିତ ହୁଏ ।
ନିଷ୍ପାପ ,ନିଷ୍କଳଙ୍କ ଆତ୍ମାଟି
ନବ ଦ୍ୱାରର ଶୃଙ୍ଖଳ ଛିନ୍ନ କରି
ସିଂହଦ୍ୱାର ରେ ପଦାର୍ପଣ କରିବାର
ମାଙ୍ଗଳିକ ମୁହୂର୍ତ୍ତକୁ
ଅଧିରତାର ସହ ଅପେକ୍ଷା କରିଥାଏ ,
ସୃଷ୍ଟିର ନିୟମ ସମ୍ପାଦିତ ହୋଇଯାଏ
ଅଦୃଷ୍ଟ ଇଙ୍ଗିତରେ
ପୁଲକିତ ମୁହୂର୍ତ୍ତରେ
ପ୍ରତି ନିୟତ
ନିର୍ଲିପ୍ତ ଆତ୍ମାଟିଏ
ଦିବ୍ୟଶିଶୁ ରୂପରେ
ପୃଥିବୀକୁ ଆସୁଥାଏ ।
ସରଳ ଶିଶୁର ଅନାବିଳ
ହସରୁ ଝରିପଡ଼େ
ଦିବ୍ୟ ଆନନ୍ଦ ର ମୋତି,
ଶିଶୁର ସରଳତା ରେ
ଦିବ୍ୟ ପ୍ରେମ ଝଲସୁଥାଏ
ଜାଗତିକ ଛଳନା
ଛୁଇଁନଥାଏ ତାକୁ
ଇଶ୍ୱରଙ୍କର ଅତି ନିକଟତମ
ପ୍ରତି ଶିଶୁ
ଗୋଟିଏ ଗୋଟିଏ ଦେବଶିଶୁ
ଯେଉଁମାନେ ଢାଳିଦିଅନ୍ତି
ଆମର ପ୍ରେମର ଜ୍ୟୋତି ।
