ଦେବଦୂତ
ଦେବଦୂତ
ଦେବଦୂତ ହୋଇ ଆସିଛ ହେ ଯଦି
ନେବାକୁ ସରଗପୁର।
କେତେ ପୁଣ୍ୟ ବଳେ ଆସିଛ ମରତେ
ଦେବାପାଇଁ ମୋତେ ବର।
କେଉଁଠି ଅଛି ସେ ଅଜଣା ସରଗ
ମୋତେ ଟିକେ କହିଦିଅ।
ଅଛି କି ସେଠାରେ ମାଆର ପଣତ
ପୋଛିବାକୁ ମୋର ମୁହଁ?
ଅଛି କି ସେଠାରେ ଭାଇର ଆଦର
ହେବାକୁ ଦେହରେ ବୋଳି।
ଅଛି କି ସେଠାରେ ବାରି ଆମ୍ବଡାଳ
ଖେଳିବାକୁ ରଜ ଦୋଳି?
ବହୁଛି କି ସେଠି କୁଳୁକୁଳୁ ନାଦେ
ପତିତପାବନୀ ଗଙ୍ଗା ।
ଉଡେ କି ସେଠାରେ ଫରଫର ହୋଇ
ମୋ ଦେଶ ଧ୍ଵଜା ତ୍ରୀରଙ୍ଗା?
ଅଛି କି ସେଠାରେ ପୁଣ୍ୟ ନୀଳାଚଳ
ପୂତ ମହୋଦଧି କୂଳେ।
ସେଠି ଶାନ୍ତି, ମୈତ୍ରୀ ପତାକା ଉଡାଇ
ନନ୍ଦିଘୋଷ କିବା ଚଳେ?
ଅଛି କି ସେଠାରେ କଳା କୋଣାରକ
ଟେକି ସଗରବେ ମଥା।
ମୋ ଜାତି କୀରତି କରେ କି ଘୋଷଣା
ଗାଇ ଅତୀତର ଗାଥା?
ନାହିଁ ଯଦି ସେଠି ଏସବୁ ଦରବ
ସିଏ କି ସରଗଭୂଇଁ!
ଲୋଡା ନାହିଁ ମୋର ସେହି ପୁଣ୍ୟ ଫଳ
ଲୋଡା ମୋ ଜନମଭୂଇଁ।
କେତେ ପୁଣ୍ୟ ବଳେ ଜନମିଛି ଏଠି
ସେକଥା ତ ଜାଣେ ନାହିଁ।
ଜାଣିଛି ଏତିକି ଏହି ପୁଣ୍ୟ ମାଟି
ମୋ ପାଇଁ ସରଗଭୂଇଁ।
ଫେରିଯାଅ ତୁମେ ଆହେ ଦେବଦୂତ
ନେଇ ମୋର ପୁଣ୍ୟ ଫଳ।
ପ୍ରତିବଦଳରେ ପାର ଯଦି ତୁମେ
ଦିଅ ମୋ ମନରେ ବଳ।
ଦୁଖୀ ର ଦୁଖଃ ରେ କାନ୍ଦୁ ମୋ ପରାଣ
ଜୀବ ଯାଉ ଦେଶ ପାଇଁ।
ଶେଷ ନିଶ୍ଵାସ ମୋ ଯାଉ ଗାଇ ଗାଇ
'ଜୟ ମା ଜନମଭୂଇଁ। '
'ଜୟ ମା ଜନମଭୂଇଁ। '