ଦେବଦାସୀ
ଦେବଦାସୀ
ପାଦରେ ଘୁଙ୍ଗୁର କଟିରେ କିଙ୍କିଣି
ମଥାରେ ଥିବ ସିନ୍ଦୁର
ନୟନେ କଜ୍ଜ୍ବଳ ପାଦରେ ଅଳତା
ଛନ୍ଦାୟିତ ପାଦ ମୋର।
ଲାସ୍ଯମୟୀ ସାଜି ନାଚୁଥିବି ଯେବେ
ନୃତ୍ଯାଙ୍ଗନା ତୋର ପାଇଁ
ଆଖିର ଇଙ୍ଗିତ ମୁଖ ଭାବଭଙ୍ଗି
ନାଚୁଥିବି ତାକଧେଇ।
ନୃତ୍ଯରତା ମୁହିଁ ନୁହେତ ଅପ୍ସରୀ
ତାଳେତାଳେ ପାଦ ଚାଲେ
ଲୋଡାପଡେ ନାହିଁ ଶ୍ରୀ ଅଙ୍ଗ ଚାତୁରୀ
ବର୍ଣ୍ଣବିଭା ସମତୁଲେ।
ଜୟଦେବଙ୍କର ଗୀତଗୋବିନ୍ଦ ଯେ
ତୁମର ସେ ଅତିପ୍ରିୟ
ତୁମ ପ୍ରେମଗାଥା ବର୍ଣ୍ଣିତ ହୋଇଛି
ସବୁତ ତୁମରି ଶ୍ରେୟ।
ଶୟନର ବେଳେ ଶୁଣିବାକୁ ଚାହିଁ
ଗୀତଗୋବିନ୍ଦରୁ ପଦେ
ତୁମପାଇଁ ଯେବେ ଗାୟନ କରେ ମୁଁ
ଅଦ୍ଭୁତ ଲାଳିତ୍ଯ ଛନ୍ଦେ।
ଦେବାଧିଦେବ ଯେ ଅଧିଶ୍ବର ତୁମେ
ବିଳାସ ବ୍ଯସନେ ମନ
ଶୟନ ଶଯ୍ଯାରେ ଦେଖିବାକୁ ଇଚ୍ଛା
ନୃତ୍ଯ ଅଭଙ୍ଗୀ ଭଙ୍ଗିମ।
ଗୀତଗୋବିନ୍ଦର ଛାନ୍ଦରେଛାନ୍ଦରେ
ବାଜୁଥାଏ ବାଦ୍ଯ ଯେତେ
ବାଦ୍ଯ ତାଳେତାଳେ ପାଦର ଚାଳନା
ହସ୍ତମୁଦ୍ରା ହୁଏ ସେତେ।
ଦେବଦାସୀ ସାଜି ତୁମ ଆଗେ ଯେବେ
ନୃତ୍ଯକରେ ପରିବେଶ
ହୃଦୟ ମୋହର ଉଲ୍ଲସେ ଖୁସିରେ
ଯେଣେ ଶିଖି ମେଘ ରାସ।
ପତି ବୋଲି ତୋତେ ବାନ୍ଧିଛି ତ ଶାଢୀ
ଏତ ଜୀବନର ଲକ୍ଷ୍ଯ
ବାଳୁତ କୁମାରୀ ପ୍ରେମରେ ଗୁମୁରି
ଦେବୁ ଏକା ତୁହି ସାକ୍ଷ୍ଯ।
ଇନ୍ଦ୍ରିୟ ସୁଖକୁ ତୁଚ୍ଛ କରି ସର୍ବ
ତୋ ପାଦରେ ଥାଏ ମୁକ୍ତି
କାମ,ରସ,ସତ୍ତ୍ବ ଯତାଇ ପାରେନି
ତୋ ପ୍ରେମରେ ଥାଏ ଶକ୍ତି।
ମୃତ୍ଯୁ ବେଳେ ମୋତେ ତୋ ଛଡା ତୁଳସୀ
ପାଇ ହୋଇଯାଏ ମୋକ୍ଷ୍ଯ
ରୋଷଘରୁ ତୋର ସେ ଦେବଅଗ୍ନିରେ
ଜଳି ହୋଇଯାଏ ମୋକ୍ଷ୍ଯ।
ଜନ୍ମେଜନ୍ମେ ମୋତେ ତୋ ଚରଣେ ଦାସୀ
କରି ଦେଉଥିବୁ ଜନ୍ମ
ହରି ନାମ ସ୍ମରି ତରିଯିବି ପରା
ଭବରଙ୍ଗ ଭୂମି ମମ।
