ଡରିବନି କେବେ ଶୀତକୁ
ଡରିବନି କେବେ ଶୀତକୁ
ଶୀତର ହେଣ୍ଟାଳେ
ରାତି ପୁରା ଗୁମ୍ ସୁମ୍
ବାଘ ଠାରୁ ବି ସେ ଆହୁରି ଭୟଙ୍କର
କୋହଲା ପବନର ଖର ନିଶ୍ଵାସେ
ପତ୍ରଝଡା ଦିଏ କେତେ ପାକଲା ଜୀବନ
ଦୋହଲାଇଦିଏ ମାଂସ ଭିତରୁ
ହାଡ ପଞ୍ଜରାତକ ।
ପଣତକାନିରେ ଜଞ୍ଜାଳକୁ ଗଣ୍ଠି କରି
ବୋଉ କିନ୍ତୁ ଡରେନି ଜମା ଶୀତକୁ
କହେ ଏ କି ଶୀତ
ସଂସାରର ଟୋପା ଟୋପା
ଝରିପଡୁଥିବା କାକର ବିନ୍ଦୁ ଠାରୁ
କଣ ବେଶି ଯନ୍ତ୍ରଣାଦାୟକ ?
ମାଘୁଆ ଶୀତରାତିରେ ବାପା ବି
ହାଡ ଭଙ୍ଗାଶୀତକୁ ଖାତିର ନ କରି
ଦୋକ୍ତା ଟେଳାଏ ପକାଇ
ଚାଲନ୍ତି ଦାଳୁଅ ବିଲକୁ
ପାଣି ମଡାଇବାକୁ ଯନ୍ତରେ ,
ଶୀତରେ ବି ଗମ୍ ଗମ୍ ଝାଳ ବୁହେ
ବାପାଙ୍କ ମୁଁହରେ ସେତେବେଳେ
ଫସଲ ଫଳାଇବାଟା
ଏତେ ସହଜ କଥା ନୁହେଁ
କହନ୍ତି ବାପା ସବୁବେଳେ
ଡରିଗଲେ ସବୁଦିନ ହାରିଯିବ ,
ଛାତିକୁ ପଥର କରି
ସାମ୍ନାକରିବାକୁ ହେବ ଆମକୁ ଜୀବନ ଯୁଦ୍ଧରେ ।
ଶୀତ ଯେତେ ଦୁର୍ଦ୍ଦାନ୍ତ ହେଉ ପଛେ
ହାର ମାନେ ମୋ
ବାପା ବୋଉଙ୍କ ପାଶେ ।
ମୁଁ ବାପା ହେଲା ପରେ
କରୁଛି ଅନୁଭବ ଆଜି
ବାପା ବୋଉଙ୍କୁ ସତରେ ଶୀତ ହୁଏନି
ଫସଲ ଫଳାଇବାର ଅଦମ୍ୟ ନିଶାରେ ।
ଡରିଗଲେ ସେ ଆହୁରି ଡରାଏ
ସେଥିପାଇଁ ବାପା କୁହନ୍ତି
ଡରିଯିବନି କେବେ ଶୀତକୁ
ସେ ଆସିବ ପୁଣି ଚାଲିଯିବ
ବଳେ ବଳେ ସୁନାପିଲା ପରି ତା ବାଟରେ ।
ବଟରପଡା ଭାମଣ୍ଡା ରାଜକନିକା କେନ୍ଦ୍ରାପଡା
