ଡର
ଡର
ବେଳେବେଳେ ବାଁ ପଟେ
ଯେଉଁ ମେସିନଟା ଲାଗିଛି
ଅନବରତ ଧକ୍ ଧକ୍ ହୋଇ
ଆମେ ଜୀବନ୍ତ
ଆମର ଗୋଟେ ପରିଚୟ ଅଛି
ବୋଲି ପ୍ରମାଣ ଦେଉଛି
କେଜାଣି ଏତେ
ଓଜନିଆ ଲାଗେ
ଫାଟି ଯିବକି ଏଇଲେ ଯେମିତି ଛାତି
ଫାଟିବା ଦରଦ ଯନ୍ତ୍ରଣା ତ ଦିଏ
କିନ୍ତୁ ଫାଟେ ନାହିଁ କାହିଁକି ?
ବଡ଼ ବଡ଼ ଗହୀରିଆ ପ୍ରଶ୍ୱାସ
ଭିତରକୁ ଯାଏ
ଲମ୍ବା ଲମ୍ବା ନିଃଶ୍ଵାସ
ବାହାରକୁ ବାହାରି ଆସେ
ଅସ୍ତବ୍ୟସ୍ତ ଲାଗେ
ଏ ଦୁନିଆଁ
ଏ ଜୀଇଁବା
ଏ ଲକ୍ ଡାଉନ୍
ଘରେ ବନ୍ଦ
ଆତ୍ମହତ୍ୟା
ପ୍ଲେନ କ୍ରାସ
ମୃତ୍ୟୁ ମୃତ୍ୟୁ ମୃତ୍ୟୁ।
ହେଇ ଅଇଲାଲୋ
ଡାହାଣୀ
ପିତାଶୁଣି
ଚିରିଗୁଣି
ଭୂତ...
ତାର ଏଡ଼େ ଏଡ଼େ ଦାନ୍ତ
ଏଡ଼େ ଏଡ଼େ ନଖ
ଝାମ୍ପୁଲା ମୁଣ୍ଡି
ହେଇ ସେଇ ଯେଉଁ ଅନ୍ତୁରୀ କଣା ଦଣ୍ଡା
ଖରୁରୀ ଗଛ
ସପ୍ତଫେଣୀ ବୁଦା
ସେଇଠୁ ଅଇଲା
ଶୋଇପଡ, ଖାଇଦେ, କାନ୍ଦେନା
କହି ଯେମିତି ଡରାଉଥିଲେ ପିଲା ବେଳେ
ଆଉ ସତକୁ ସତ ଆମେ ଛାନିଆଁରେ
ଶୋଇପଡୁଥିଲେ
ଖାଇ ଦେଉଥିଲେ
କାନ୍ଦ ବନ୍ଦ ବି ହୋଇ ଯାଉଥିଲା।
ଏବେ ଯଥେଷ୍ଟ ବୟସ ହୋଇଛି ଆମର
ଏ ସବୁକୁ ଜମା ଡରୁ ନାହୁଁ
କିନ୍ତୁ କେହି ତ ଡରାଉଛି ଆମକୁ
ଯାହା ପାଇଁ
ନିଦ ହଜି ଯାଉଛି
ପାଟିକୁ ଗୁଣ୍ଡା ଯାଉନି
କି କାନ୍ଦ ବନ୍ଦ ହେଉନି
ଆହା ଏ "ଡର" ପିଲା ଦିନ ପରି
ଏବେ ବି ଡରାଉଛି !
ଏ କରୋନା ସଂକ୍ରମଣ
ମୃତ୍ୟୁ ଭୟ
ଏମିତି କଲବଲ କରି ଡରାଉଛି
କାହିଁକି??
