ଡାକିବାକୁ ତୋତେ ଇଚ୍ଛା ହୁଏ କୃଷ୍ଣ
ଡାକିବାକୁ ତୋତେ ଇଚ୍ଛା ହୁଏ କୃଷ୍ଣ
ଡାକିବାକୁ ତତେ ଇଚ୍ଛା ହୁଏ କୃଷ୍ଣ
ଅନ୍ତର ମୋର ଫାଡି ,
ସତେ କି ହଟିଆ ଡାକ ଶୁଣି ମୋର
ଆସିବୁ ତୁହି ଦଉଡି ।।୧II
ଦେବକୀ ହେବାକୁ କାରାଗାରେ ବନ୍ଧା
ହେବି ମୁଁ ଲୈ।ହ ଶୃଙ୍ଖଳେ ,
ସହିବି କଂସର ଶତ ନିର୍ଯ୍ୟାତନା
ଧରିବାକୁ ତୋତେ କୋଳେ ।।୨II
ତୋ ଅଳି ଅଝଟ ସବୁ ସହି ଯିବି
ହୋଇ ତୋ ଯଶୋଦା ମାଁ ,
ମାଟି ଖିଆ ପାଟି ବ୍ରହ୍ମାଣ୍ଡ ଦେଖିବି
ଯେବେ ତୁ କରିବୁ ଆଁ ।। ୩ II
ରାଧା ହେବା ପାଇଁ ସହିବି କହ୍ନେଇ
ଯେତେ ନିନ୍ଦା ଅପବାଦ,
କାନ ଡେରି ଶୁଣୁ ଥିବି ନିଶି ଦିନ
ମୋହନ ମୂରଲୀ ନାଦ ।। ୪ II
ଗୋପି ଟିଏ ହୋଇ ଖୁଆଇ ଦେବି ମୁଁ
ଶ୍ରଦ୍ଧା ରେ ସର ଲବଣୀ,
ତୋ ରଙ୍ଗ ପୟର ନୂପୁର ତାଳରେ
ନାଚୁ ଥିବି ବେଣୁପାଣି ।। ୫ II
କୁବୁଜା ହେବାକୁ ଆଦରି ନେବି ମୁଁ
ଜନ୍ମ ଜନ୍ମକୁ ବିରୂପ ,
ଚାହିଁ ବସିଥିବି ଶ୍ରୀ ଅଙ୍ଗରେ ତୋର
ଦେବାକୁ ଚନ୍ଦନ ଲେପ ।। ୬ II
ସୁଦାମା ହେବାକୁ ବରି ନେବି କାହ୍ନୁ
ସାତ ଜନ୍ମକୁ ଦାରିଦ୍ର୍ୟ ,
ତୋ ପ୍ରେମାଲିଙ୍ଗନେ ପୁଲକିତ ହୋଇ
କରୁଥିବି ନେତ୍ର ଆର୍ଦ୍ର ।। ୭ II
ଦ୍ରୈ।ପଦୀ ହେବାକୁ ସହିବି ସଭା ରେ
ଯେତେ ଯାହା ଅପମାନ ,
ତୋର ହାତ ଟେକା ବସନ ପାଇ ମୁଁ
କରିବି ଜୀବନ ଧନ୍ୟ ।। ୮ II
ଜାଣିଛି ଏସବୁ ହୋଇ ପାରିବିନି
ନାହିଁ ମୋର ପୂଣ୍ୟ ବଳ ,
ତଥାପି କାହିଁକି ତୋ ସାନ୍ନିଧ୍ୟ ପାଇଁ
ହୁଏ ମୁଁ ସଦା ବ୍ୟାକୁଳ ।। ୯ II
ଟିକେ କୃପା କର ସେ ଶ୍ୟାମ ସୁନ୍ଦର
ବାଉଁଶ ଖଣ୍ଡିଏ ହେବି ,
ବଇଁଶୀଟେ ହୋଇ ତୋ ଅଧର ଛୁଇଁ
ମଧୁର ସ୍ଵର ତୋଳିବି ।।୧୦ II
କିଛି ଯଦି ମୋତେ ନ କରୁ ମୋହନ
କରି ଦେବୁ ପଟ୍ଟ ସୂତା ,
ମାଳ ଟିଏ ହୋଇ ତୋ ଗଳେ ଶୋଭିବି
ତୁଳସୀରେ ହୋଇ ଗୁନ୍ଥା ।।୧୧II
